ଧାମରା ମହୋତ୍ସବରେ ଏକ ପାଦିଆ ଓଡିଶୀ ନୃତ୍ୟ ଗୁରୁଙ୍କ କମାଲ

ଚାନ୍ଦବାଲି : ସେ କେବଳ ଶରୀରରୁ ଭିନ୍ନକ୍ଷମ, ହେଲେ ମନରୁ ନୁହେଁ । ଯାହାଙ୍କ ଉଦ୍ୟମ ଓ ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା । କେବେ ବି ନିଜ କୁ ଭିନ୍ନକ୍ଷମ ନ ଭାବି ନିଜର କାର୍ଯ୍ୟ କ୍ଷେତ୍ରରେ ଦୃଢ଼ ପ୍ରତିପାଦନ କରି ପାରିଛନ୍ତି ସେ । ଆଉ କହୁଛନ୍ତି ମୁଁ ବି ସକ୍ଷମ । ମନରେ ସାହସ ଓ ଅସୀମ ଧର୍ଯ୍ୟ ତାଙ୍କୁ ଦେଇଛି ନୂଆ ପରିଚୟ । ଆମେ କହୁଛୁ ନୃତ୍ୟ ଗୁରୁ ନିତ୍ୟାନନ୍ଦ ଦାସଙ୍କ କଥା । ଗୋଟିଏ ଗୋଡରେ ସେ ଅତି ସୁନ୍ଦର ଭାବେ ଓଡିଶୀ ନୃତ୍ୟ କରି ସମସ୍ତଙ୍କର ମନ କିଣିନେଇଛନ୍ତି ।

ତାଙ୍କର ଗୋଟିଏ ଗୋଡ଼ ନାହିଁ । ହେଲେ ସେ ଆଜି ଭିନ୍ନକ୍ଷମ ହୋଇ ମଧ୍ୟ ନୃତ୍ୟ ଗୁରୁ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ କେବେବି ଭାବି ନାହାଁନ୍ତି ସେ ଜଣେ ଦିବ୍ୟାଙ୍ଗ ବୋଲି । ଭଲ ମଣିଷ ପରି ସବୁ କିଛି କାମ କରିବାରେ ସେ ପାରଙ୍ଗମ । ଅନ୍ୟ ଭିନ୍ନକ୍ଷମଙ୍କ ମନରେ ସାହସ ଦେଇ ତାଙ୍କୁ ସକ୍ଷମ ହେବାର ଉପଦେଶ ଦେଇଥାନ୍ତି ସେ ।

ତେବେ ଭଦ୍ରକ ଜିଲ୍ଲା ଧାମରାରେ ତିନି ଦିନ ବ୍ୟାପି ଚାଲିଥିବା ଧାମରା ମହୋତ୍ସବରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଓଡିଶୀ ନୃତ୍ୟ ଗୁରୁ ନିତ୍ୟାନନ୍ଦ ଦାସ । ଏହି ମହୋତ୍ସବର ମୁଖ୍ୟ ପୁରୋଧା ଏକ ପାଦିଆ ନୃତ୍ୟ ଗୁରୁ ନିତ୍ୟାନନ୍ଦ ଦାସଙ୍କ ନୃତ୍ୟ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ । ଗୋଟିଏ ପାଦରେ ଖୁବ୍ ନିଖୁଣତାର ସହ ନିଜର କଳା ପ୍ରଦର୍ଶନ କରିଥିଲେ ଗୁରୁ ନିତ୍ୟାନନ୍ଦ ଦାସ । ଯାହାର ଭିଜୁଆଲ୍ ଭାଇରାଲ୍ ହେବାରେ ଲାଗିଛି  । ଭିଡିଓରେ ଭିନ୍ନକ୍ଷମ ନୃତ୍ୟ ଗୁରୁ ଯାହାଙ୍କର ଗୋଟିଏ ଗୋଡ ନାହିଁ, ତାଙ୍କର ସାହସ ଆଉ ଏକାଗ୍ରତାକୁ ଦେଖିବା ପରେ ଲୋକମାନେ ତାଙ୍କୁ ପ୍ରଶଂସା କରିବାରେ ଟିକିଏ ବି ଥକୁ ନାହାଁନ୍ତି ।

ଏପଟେ ତିନି ଦିନ ଧରି ଚାଲିଥିବା ଏହି ଧାମରା ମହୋତ୍ସବ ଗତକାଲି ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଯୋଗ ଦେଇ ଏହି ମହୋତ୍ସବ ପାଇଁ ସବୁ ଦଳର ନେତା ଏକ୍ ହୋଇଥିବାରୁ ସମସ୍ତଙ୍କୁ ପ୍ରଶଂସା କରିଥିଲେ ।

ତେବେ ଧାମରା ର ବିକାଶ ପାଇଁ ଏହିଭଳି ସମସ୍ତ ଦଳର ନେତା ଏକ୍ ହୋଇ କାମ କରିବାକୁ ସେ ନିବେଦନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ଭିତରେ ବିଜେପି ନେତା ଉଦୟ ମଲିକ, କଂଗ୍ରେସ ନେତ୍ରୀ ମଧୁମିତା ସେଠି ଯୋଗ ଦେଇ ମହୋତ୍ସବର ମୁଖ୍ୟ ପୁରୋଧା ଏକ ପାଦିଆ ନୃତ୍ୟ ଗୁରୁ ନିତ୍ୟାନନ୍ଦ ଦାସଙ୍କୁ ପ୍ରଶଂସା କରିଥିଲେ । ଉଦଯାପନୀ ସନ୍ଧ୍ୟାରେ ସୁଦୂର ଗୁଜୁରାଟରୁ ଆସିଥିବା ଭିନକ୍ଷମ ପ୍ରସିଦ୍ଧ ନୃତ୍ୟ ଶିଳ୍ପୀ କଲେଶ ପଟେଲଙ୍କ ନୃତ୍ୟରେ ବି ବିଭୋର ହୋଇଥିଲେ ଦର୍ଶକ ।

ସତରେ ଭଗବାନଙ୍କ ସୃଷ୍ଟି ବଡ ବିଚିତ୍ର । କାହାକୁ କିଭଳି ଗଢିଛନ୍ତି ତାହା କହିବା ଅସମ୍ଭବ । ତଥାପି ଭଗବାନଙ୍କୁ ଦୋଷ ନଦେଇ ନିଜର ଅକ୍ଷମତାକୁ ଶକ୍ତି କରି ଆଜି ଦର୍ଶକଙ୍କ ମନ ମୋହିଛନ୍ତି ଏମାନେ । ତେବେ ଓଡିଶୀ ନୃତ୍ୟ ସହ ଭିନ୍ନକ୍ଷମ ନୃତ୍ୟ ଶିଳ୍ପୀଙ୍କ ଭିତରେ ଥିବା ପ୍ରତିଭାର ପ୍ରଚାର କରିବା ଏହି ମହୋତ୍ସବର ମୂଳ ଲକ୍ଷ୍ୟ ବୋଲି କହିଛନ୍ତି ଆୟୋଜକ ।

 

 

You might also like