ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟରର ପ୍ରଥମ ଓଡ଼ିଆ ନିର୍ଦ୍ଦେଶକ, ଅଜିତ କୁମାର ମହାନ୍ତି

ନୂଆଦିଲ୍ଲୀ : ସର୍ବଭାରତୀୟ ସ୍ତରରେ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଗୌରବ । ଓଡ଼ିଶାର ପ୍ରସିଦ୍ଧ ବୈଜ୍ଞାନିକ ଅଜିତ କୁମାର ମହାନ୍ତି ଭାବା ଆଟମିକ୍‌ ରିସର୍ଚ୍ଚ ସେଣ୍ଟର (ବିଏଆରସି)ର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ଏହି ପଦବି ପାଇବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ।

ମୁମ୍ବାଇ ସ୍ଥିତ ବିଏଆରସିରେ ଗତ ୬ ମାସ ହେଲା ନିର୍ଦ୍ଦେଶକ ପଦବି ଖାଲି ପଡ଼ିଥିଲା । ସେହି ପଦବିରେ ଅଜିତ ମହାନ୍ତିଙ୍କୁ ଆଗାମୀ ତିନି ବର୍ଷ ପାଇଁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି । ସେ ବର୍ତ୍ତମାନ ବିଏଆରସିର ଫିଜିକ୍ସ ଗ୍ରୁପ୍‌ ଏବଂ କୋଲକାତା ସ୍ଥିତ ଶାହା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ନ୍ୟୁକ୍ଲିୟର ଫିଜିକ୍ସରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ଆହୁରି ମଧ୍ୟ ଯଦୁଗୋଡ଼ା ୟୁରାନିୟମ୍‌ ଖଣି ଭିତରେ ଭୂତଳ ପରୀକ୍ଷାଗାର ସ୍ଥାପନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଏହା ହେଉଛି ଦେଶର ଦ୍ୱିତୀୟ ସର୍ବବୃହତ ଭୂତଳ ପରୀକ୍ଷାଗାର ।