ମୁଣ୍ଡଳି ବ୍ୟାରେଜ ନିକଟରେ ହାତୀ ଉଦ୍ଧାର ବେଳେ ଅଘଟଣ: ଓଲଟିଲା ଓଡ୍ରାଫ ବୋଟ୍‌ !

କଟକ(କେନ୍ଯୁଜ୍): ମୁଣ୍ଡଳି ବ୍ୟାରେଜ ନିକଟରେ ହାତୀ ଉଦ୍ଧାର ବେଳେ ଅଘଟଣ । ମହାନଦୀରେ ଫସି ଥିବା ହାତୀକୁ ଉଦ୍ଧାର କରିବାକୁ ଯାଇ ଓଲଟିଲା ଓଡ୍ରାଫ ବୋଟ୍‌ । ହାତୀକୁ ଉଦ୍ଧାର ବେଳେ ପ୍ରଖର ସ୍ରୋତରେ ଭାରସାମ୍ୟ ହରାଇ ବୋଟ୍‌ ଓଲଟି ପଡ଼ିଥିଲା । ଏହି ବୋଟ୍‌ରେ ୫ରୁ ୭ ଜଣ ଥିଲେ । ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ୯ ଘଣ୍ଟା ଧରି ଦନ୍ତା ହାତୀଟି ମୁଣ୍ଡଳି ନିକଟରେ ଫସି ରହିଛି । ସ୍ରୋତ ପ୍ରଖର ଥିବାରୁ ଉଦ୍ଧାରରେ ବାଧା ଉପୁଜିଛି । ଫସି ରହିଥିବା ହାତୀକୁ ଦେଖିବା ପାଇଁ ମୁଣ୍ଡଳୀ ବ୍ୟାରେଜରେ ଲୋକଙ୍କ ଭିଡ଼ ଜମିଛି ।

ଲୋକଙ୍କ ଭିଡ ଯୋଗୁଁ ହାତୀ କୂଳ ନିକଟକୁ ଆସି ପୁଣି ଫେରିଯାଉଛି । ଆଜି ସକାଳେ ମହାନଦୀ ପାର୍‌ ହେଉଥିବାବେଳେ ପାଣି ସୁଅରେ ଭାସିଯାଇଥିଲେ ୭ଟି ହାତୀ। ସେଭିତରୁ ଗୋଟିଏ ଦନ୍ତା ହାତୀ ମୁଣ୍ଡଳି ବ୍ୟାରେଜ ନିକଟର ଫସି ଥିବା ବେଳେ ଅନ୍ୟ ୨ଟି ହାତୀ ଅନନ୍ତପୁର ନିକଟ ମହାନଦୀ କୂଳରେ ଅଛନ୍ତି।

ଅନ୍ୟ ୪ଟି ହାତୀ ନିକଟରେ ଥିବା ନୂଆଶାସନ ଗାଁକୁ ଚାଲି ଯାଇ ତାଣ୍ଡବ କରୁଛନ୍ତି । ଏକ ୧୭ଟିକିଆ ହାତୀ ପଲ ଆଜି ଭୋର ସମୟରେ ଆଠଗଡ଼ ପଟୁ ମହାନଦୀରେ ପଶିଥିଲେ। ସେମାନେ ବାଙ୍କି ନେଇ ଚନ୍ଦକା ଜଙ୍ଗଲ ଅଭିମୁଖେ ଯାଇଥାନ୍ତେ। ମାତ୍ର ନଦୀରେ ଜଳସ୍ତର ଅଧିକ ଥିବା ବେଳେ ପାଣିର ସୁଅରେ ହାତୀପଲ ଭାସିଯାଇଥିଲେ।