ବାଇକ ରଖିବା ଘରେ ଚାଲିଛି କାର୍ଯ୍ୟାଳୟ, ତତଲା କଡେଇରେ ସିଝୁଛନ୍ତି କର୍ମଚାରୀ

ଅସହ୍ୟ ଖରା ସାଙ୍ଗକୁ ଟିଣ ଛପର ତଳେ ଚାଲୁଛି ନଥିପତ୍ର କାମ । ପିଇବାକୁ ପାଣିଟୋପେ ନଥିବା ବେଳେ ବୁଲୁନି ଫ୍ୟାନ । ବିଭିନ୍ନ କାମ ନେଇ ଆସୁଛନ୍ତି ଲୋକ ହେଲେ ଖରା ଗରମରେ ସିଝୁଛନ୍ତି । ଏମାନଙ୍କ ଦୁର୍ଦଶା କହିଲେ ନ ସରେ । ଏ ହେଉଛି ବୋଲଗଡ଼ ତହସିଲଦାର କାର୍ଯ୍ୟାଳୟର ମୋହରିଅରମାନଙ୍କ କାର୍ଯ୍ୟାଳୟର ଦୃଶ୍ୟ । ଦେଖନ୍ତୁ ଲୋକମାନେ ବିଭିନ୍ନ କାମ ନେଇ ଆସି କିପରି ତତଲା କଡେଇରେ ସିଝୁଛନ୍ତି । ବାଇକ ରଖିବା ପାଇଁ ହୋଇଥିବା ଘରେ ଚାଲିଛି ଏହି ମୋହରିଅରମାନଙ୍କ କାର୍ଯ୍ୟାଳୟ ।

ମାତ୍ର ୬ ଫୁଟ ଉଚ୍ଚରେ ଟିଣ ଛପର ଆଜବେଷ୍ଟସ । ତଳେ ବସିବାକୁ ଜାଗା ନାହିଁ କି ଅସହ୍ୟ ଖରାରେ ପାଣି ଟୋପେର ବ୍ୟବସ୍ଥା ବି ନାହିଁ । ଉପରେ ଝୁଲୁଛି ଫ୍ୟାନ ହେଲେ ଚାଲୁନି । କାଗଜ ଖାତା ପାଲଟିଛି ବିଞ୍ଚଣା । ଯାହା ଫଳରେ ଏଠାରେ କାର୍ଯ୍ୟରତ ମୋହରିଅର, ଓକିଲମାନେ ନାହିଁ ନ ଥିବା ହଇରାଣ ତ ହେଉଛନ୍ତି ପୁଣି ସେମାନଙ୍କ ସହିତ ହଇରାଣ ହେଉଛନ୍ତି ଲୋକେ । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

୨୦୧୬ ମସିହାରେ ଏହି ବୋଲଗଡ଼ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ସାଇକେଲ ଷ୍ଟାଣ୍ଡଟିକୁ ମରାମତି କରି ମୋହରିଅରମାନଙ୍କ କାର୍ଯ୍ୟାଳୟ ପାଇଁ ଦିଆଯାଇଥିଲା । ସେହିଦିନ ଠାରୁ ଏଠାରେ ଏପରି ଦୟନୀୟ ଅବସ୍ଥାରେ କାର୍ଯ୍ୟାଳୟ ଚାଲି ଆସୁଥିବା ବେଳେ ମୋଟ ୧୦ଜଣ ଓକିଲ, ମୋହରିଅର କାମ କରୁଛନ୍ତି । ଆଉ ବିଭିନ୍ନ ଜମିଜମା କାମ ସହିତ ଅନେକ କାମ ପାଇଁ ପ୍ରତିଦିନ ଆସନ୍ତି ଶହ ଶହ ଲୋକ ହେଲେ ଏପରି ଦୁର୍ଦ୍ଦଶାର ସାମ୍ନା କରିବାକୁ ପଡେ । ସେପଟେ ତହସିଲଦାରଙ୍କ କାର୍ଯ୍ୟାଳୟରେ ଦୁଇ ଦୁଇଟି ଏସି ଲାଗିଥିବା ବେଳେ ଏମାନଙ୍କ ଅବସ୍ଥା ପ୍ରତି କାହାର ନଜର ନାହିଁ ।

Also read: ପୋଲିସ ଜାଳିଦେଲା ପୋଲିସର ଗାଡ଼ି, ହୁତୁହୁତୁ ହୋଇ ଜଳୁଛି ୩ ବାଇକ