ଖୋର୍ଦ୍ଧା: ସ୍କୁଲ ପରିସରରେ ହୋହାଲ୍ଲା । ପାଟି ତୁଣ୍ଡରେ ଫାଟି ପଡ଼ୁଛି ସ୍ଥାନୀୟ ଅଞ୍ଚଳ । ଛାତ୍ରଛାତ୍ରୀ ମାନେ ମଧ୍ୟ ରାଗିକି ପଞ୍ଚମ । ନାନା ସମସ୍ୟା ଘେରରେ ରହିଛି ସ୍କୁଲ । ବର୍ଷା ହେଲେ ଛାତରୁ ପାଣି ଗଳୁଛି ତ କେତେବେଳେ କରେଣ୍ଟ ପଳାଇବାରୁ ଛାତ୍ରଛାତ୍ରୀମାନେ ଗରମ ଗୁଳୁଗୁଳିରେ ପାଠ ପଢ଼ିପାରୁ ନାହାଁନ୍ତି । ଖାଲି ଏତିକି ନୁହେଁ ସ୍କୁଲ୍ ପରିସରରେ ରହିଥିବା ଜମିକୁ ନେଇ ଉଭୟ ପରିଚାଳନା କମିଟିର ସଭାପତି ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଉପୁଜିଛି ବିବାଦ ।
ଜମି ଜମା ଏବଂ ଶିକ୍ଷକଙ୍କ ବିବାଦରେ ନଷ୍ଟ ଭ୍ରଷ୍ଟ ହେଉଛି ପିଲାମାନଙ୍କ ଶିକ୍ଷା ଗ୍ରହଣ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଆଳିଶ ଶାସନ ଗ୍ରାମରେ ଥିବା ଆର୍ତ୍ତତ୍ରାଣ ବିଦ୍ୟାନିକେତନରେ । ଯାହାକୁ ସମାଧାନ କରିବାକୁ ଯାଇ ହଟହଟା ହୋଇଛନ୍ତି ବ୍ଳକ ଶିକ୍ଷାଧିକାରୀ । ଦୁଇଟି ସ୍କୁଲ ଗୋଟିଏ କ୍ୟାମ୍ପସ । ଗୋଟିଏ କ୍ୟାମ୍ପସରେ ହାଇସ୍କୁଲ ଏବଂ ଗୋପାଳଜୀଉ ପ୍ରାଥମିକ ବିଦ୍ୟାଳୟ ରହିଥିବାବେଳେ ପ୍ରାଥମିକ ବିଦ୍ୟାଳୟର ମ୍ୟାନଜିଙ୍ଗ କମିଟିର ସଭାପତି ହାଇସ୍କୁଲର ବିକାଶ ମୂଳକ କାର୍ଯ୍ୟ କରାଉ ଦେଉ ନ ଥିବାର ଗ୍ରାମବାସୀ ଅଭିଯୋଗ ହୋଇଛି । ଯେଉଁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମ୍ୟାନଜିଙ୍ଗ କମିଟିର ସଭାପତି ।
ତେବେ ବିଦ୍ୟାଳୟରେ ୫ ଟି ମାଧ୍ୟମରେ ନୂତନ ଗୃହ ନିର୍ମାଣ ପାଇଁ ଆର୍ଥିକ ସହାୟତା ଆସିଥିବାବେଳେ ଏହାକୁ ମ୍ୟାନଜିଙ୍ଗ କମିଟିର ସଭାପତି କରାଇ ଦେଇ ନ ଥିବା ଅଭିଯୋଗ ହୋଇଛି । ପରେ ଅନ୍ୟ ସ୍ଥାନରେ ଏହାର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା କହିଛନ୍ତି । ସେପଟେ ଭଙ୍ଗା ଆଜବେଷ୍ଟସ ଘରେ ନାନା ଅସୁବିଧାରେ ହାଇସ୍କୁଲ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବାବେଳେ ଗୋପାଳଜୀଉ ପ୍ରାଥମିକ ବିଦ୍ୟାଳୟ ଅଧିନରେ ରହିଥିବା ଦୁଇଟି ଘରକୁ ଚାବି ପକାଇ ସଭାପତି ରଖିଥିବାର ଛାତ୍ରଛାତ୍ରୀମାନେ କହିଛନ୍ତି ।
ଯଦି ଏହି ଘରକୁ ଖୋଲାଯାଏ ତେବେ ଶିକ୍ଷା ଗ୍ରହଣ କରିବା ପାଇଁ ଭଲ ହେବ । ଏନେଇ ସମସ୍ୟାର ସମାଧାନ କରିବା ପାଇଁ ବାଲିପାଟଣା ବ୍ଳକ ଶିକ୍ଷାଧିକାରୀ ଘଟଣା ସ୍ଥଳକୁ ଯାଇଥିବାବେଳେ ତାଙ୍କୁ ଅଟକ ରଖାଯାଇଥିଲା । ପରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଶେଷରେ ଏକ ଲିଖିତ ଅଭିଯୋଗ ଗ୍ରହଣ କରି ପରବର୍ତ୍ତୀ ସମୟରେ ଏହାର ସମାଧାନ କରାଯିବା ପାଇଁ ପ୍ରତିଶୃତି ପାଇବା ପରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଗ୍ରାମବାସୀ ଛାଡ଼ିଥିଲେ ।