ଭଙ୍ଗାଦଦରା ଘରେ ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି, କେବେ ଏମାନଙ୍କ ଦୁଃଖ ଶୁଣିବ ପ୍ରଶାସନ ?

ନୂଆପଡା : ବୟସର ଅପରାହ୍ନରେ ଘର ଖଣ୍ଡେ ପାଇଁ ସଂଘର୍ଷ କରୁଛନ୍ତି ବୃଦ୍ଧ ଦମ୍ପତି । ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନାହିଁ । ଦଦରା କୁଡ଼ିଆରେ ବିତୁଛି ଜୀବନ । ଟିକେ ବର୍ଷା ହେଲେ ଘରେ ପାଣି ପଶିବା ସହ ସାପ ପଶିଯିବା ଭୟ ବି ରହୁଛି । କିନ୍ତୁ ଏମାନଙ୍କ ଦୁଃଖ ଶୁଣିବାକୁ କେହି ନାହାନ୍ତି । ସରକାର ସମସ୍ତ ଗରିବ ଲୋକମାନଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ପ୍ରକୃତ ଗରିବ ହିତାଧିକାରୀମାନେ ଆବାସ ଯୋଜନା ପାଇବାରୁ ବଞ୍ଚିତ ହୋଇ ରହୁଛନ୍ତି । ଭଙ୍ଗା କୁଡିଆରେ ରହୁଛନ୍ତି ବୃଦ୍ଧ ଦମ୍ପତି ମକରନ ଜାଲ ଓ ତାଙ୍କ ସ୍ତ୍ରୀ ରାଧିକା ଜାଲ । ହେଲେ ଏହି ଅସହାୟ ବୃଦ୍ଧ ଦମ୍ପତିଙ୍କ ସମସ୍ୟା ପ୍ରତି ପ୍ରଶାସନର ତିଳେ ହେଲେ ନଜର ନାହିଁ ।

ନୂଆପଡା ଜିଲ୍ଲା ଖଡିଆଳ ଏନଏସିର ୧୦ ନମ୍ୱର ଓାର୍ଡ ଲକ୍ଷ୍ମୀଛକ ରାସ୍ତାକଡରେ ଏକ ଭଙ୍ଗା ଦଦରା କୁଡିଆରେ ବୃଦ୍ଧ ଦମ୍ପତି ମକରନ ଜାଲ ଓ ତାଙ୍କ ସ୍ତ୍ରୀ ରାଧିକା ଜାଲ ଦୁର୍ବିସହ ଜୀବନ ବିତାଉଛନ୍ତି । ସେମାନଙ୍କର କୈାଣସି ସନ୍ତାନ ସନ୍ତତି ନଥିବା ବେଳେ ଜାଗାଟିଏ ନଥିବାରୁ ବୃଦ୍ଧ ଦମ୍ପତି ବହୁ ଦୁଃଖକଷ୍ଟରେ ଦିନ କାଟୁଛନ୍ତି । ଜଣେ ସହୃଦୟ ବ୍ୟକ୍ତି ଏ ଦମ୍ପତିକୁ ଭଙ୍ଗା କୁଡିଆରେ ମୁଣ୍ଡଗୁଞ୍ଜିବା ପାଇଁ ଦେଇଛନ୍ତି । ସେମାନଙ୍କ ପାଇଁ ସରକାରୀ ଯୋଜନା କହିଲେ ମାସିକ ଭତା ଓ ୧୦ କେଜି ଚାଉଳ ହିଁ ଭରସା । ବୟସ ଅଧିକ ଯୋଗୁଁ ମକରନ ଠିକ ଭାବେ ଚଲାବୁଲା କରି ପାରୁନଥିବା ବେଳେ ବୃଦ୍ଧା ରାଧିକା ବୁଲି ବୁଲି ଯାହା ମାଗି ଆଣନ୍ତି ସେଥିରେ ଦୁଇପ୍ରାଣୀଙ୍କ ପେଟ ପୁରେ । ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ସ୍ଥାନୀୟ କାଉନସିଲରଙ୍କ ଠାରୁ ନେଇ ଏନଏସି କାର୍ଯ୍ୟାଳୟକୁ ବାରମ୍ୱାର ଦୌଡିଥିଲେ ହେଁ କେହି କର୍ଣ୍ଣପାତ କରୁନଥିବା ବୃଦ୍ଧ ଦମ୍ପତି ଅଭିଯୋଗ କରିଛନ୍ତି ।

୨୦ ବର୍ଷ ତଳେ ମକରନଙ୍କୁ ପ୍ରଶାସନ ପକ୍ଷରୁ ଘର ଡିହ ବାବଦରେ କାଗଜ କଲମରେ କେବଳ ୪ ଡିସମିଲ ଜମିପଟ୍ଟା ମିଳିଛି । ହେଲେ ରାଜସ୍ୱ ବିଭାଗ ଉକ୍ତ ସ୍ଥାନ ଚିହ୍ନଟ କରି ଦେଇନଥିବାରୁ ସେହି ଜାଗା କେଉଁଠି ଅଛି ତାହା ସେମାନେ ଜାଣି ନାହାନ୍ତି । ଯାହା ଫଳରେ ସେମାନେ ଆବାସ ଗୃହ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏହି ଅସହାୟ ବୃଦ୍ଧ ଦମ୍ପତିଙ୍କୁ ଅନ୍ତୋଦୟ କାର୍ଡ ମାଧ୍ୟମରେ ୩୫ କେଜି ଚାଉଳ ଯୋଗେଇ ଦେବା ସହ ଆବାସ ଯୋଜନାରେ ସାମିଲ କରି ଏକ ପକ୍କାଗୃହ ଯୋଗେଇ ଦେବାକୁ ସାଧାରଣରେ ଦାବି ହୋଇଛି । ଘଟଣାର ତଦନ୍ତ ପରେ ବୃଦ୍ଧ ଦମ୍ପତିଙ୍କୁ ଅଗ୍ରାଧିକାର ଭିତିରେ ଏକ ଆବାସ ଗୃହ ଯୋଗେଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ନୂଆପଡା ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ପିଡିି ।

ପେଟରେ ଦିଓଳି ଦାନା ପାଇବା ପାଇଁ ଏମାନେ ସଂଘର୍ଷ କରୁଛନ୍ତି ଏପରିସ୍ଥିତିରେ ଘର ଖଣ୍ଡେ କରିବା ପାଇଁ ଏମାନଙ୍କ ପାଖରେ ଅର୍ଥ ନାହିଁ । ବର୍ଷାଦିନେ ବିନା ବିଦ୍ୟୁତ ଆଲୁଅରେ ସେମାନଙ୍କ ଜୀବନ ସଙ୍ଗୀନ ହୋଇପଡୁଛି । ଅସରାଏ ବର୍ଷା ହେଲେ କୁଡିଆ ସାରା ପାଣି ଜମି ରହିବା ସହିତ ମାଟିକାନ୍ଥରୁ ମାଟି ଅତଡା ଖସୁଛି । କେତେବେଳେ ଯଦି କୁଡିଆ ଘର ଭାଙ୍ଗି ଯାଏ ତେବେ ଦୁଇ ପ୍ରାଣୀଙ୍କ ଜୀବନ ଚାଲିଯିବ । ଯଦି ପ୍ରଶାସନ ଏ ବୃଦ୍ଧ ଦମ୍ପତିଙ୍କ ରହିବା ପାଇଁ ଭଲ ଘର ଖଣ୍ଡେ ଯୋଗାଇ ଦିଅନ୍ତେ ତେବେ ଏମାନଙ୍କ ଦୁଃଖ ଦୂର ହୋଇ ପାରନ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like