ବୃଦ୍ଧଙ୍କୁ ଗୋଡ଼ାଇ ଗୋଡ଼ାଇ କଚାଡ଼ିଲା ଦନ୍ତା, କ୍ଷତିପୂରଣ ଦାବିରେ ଗ୍ରାମବାସୀ
ବଣାଇ : ଗୋଡ଼ାଇ ଗୋଡ଼ାଇ କଚାଡି ମାରିଲା ଦନ୍ତା । ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବନ୍ଦଲ ଗାଁର ୫୫ ବର୍ଷୀୟ ବିଠଲ ନାୟକ । ଏପରି ଏକ ଘଟଣା ଗତ ରାତିରେ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ବରସୁଆଁ ରେଞ୍ଜରେ ଘଟିଛି ।
ସୂଚନା ଅନୁସାରେ ବିଠଲ ଗତକାଲି ନିଜର ଜଣେ ସାଙ୍ଗକ ସହ ରେଙ୍ଗମା ଗାଁକୁ ଯାଇଥିଲେ । ସେଠାରୁ କାମ ସାରି ଉଭୟ ରାତିରେ ଜଙ୍ଗଲ ରାସ୍ତାରେ ଘରକୁ ଫେରୁଥିବା ବେଳେ ଏକ ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ। ଜୀବନ ବିକଳରେ ଦୌଡି ପଳାଉଥିବାବେଳେ ଦନ୍ତା ବିଠଲଙ୍କୁ ଟେକ ନେଇ କଚାଡି ମାରିଥିଲା । ବନବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ଗତ ୩ ବର୍ଷ ମଧ୍ୟରେ ଦନ୍ତା ପ୍ରାୟ ୩୦ରୁ ଅଧିକ ଜଣଙ୍କ ଜୀବନ ନେଇ ସାରିଥିବା ବେଳେ ୫୦ରୁ ଅଧିକ ଲୋକଙ୍କୁ ଆକ୍ରମଣ କରି ଗୁରୁତର କରିଛି । ତେଣୁ ତୁରନ୍ତ ବିଠଲଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ସହ ହାତୀକୁ ଟ୍ରାଙ୍କୁଲାଇଜ କରି ଅନ୍ୟତ୍ର ଦାବି କରିଛନ୍ତି ଗ୍ରାମବାସୀ ।