ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ହିନ୍ଦୋଳ: ରାସ୍ତା ଉପରେ ଚାଲିଛି କାନ୍ଦ ବୋବାଳି । ଘରର ମୂରବୀଙ୍କୁ ହରାଇ ଭାଙ୍ଗିପଡିଛନ୍ତି ପରିବାର ଲୋକେ । ସତରେ ଏମିତି ବି ଆସେ ମରଣ । ନିମିଷକେ ଚାଲି ଯାଏ ଅମୂଲ୍ୟ ଜୀବନ l ସତରେ ଏ ମଣିଷ ଜୀବନ ପାଣି ଫୋଟକା । ପ୍ରତି ଦିନ ନିଜ ଆଖି ସାମ୍ନାରେ ଦେଖୁଥିବା ବ୍ୟକ୍ତି କିପରି ମୁହୂର୍ତ୍ତକରେ ଆରପାରିକୁ ଚାଲିଯାଏ ତାହା ଭାବିବାବି ଅସମ୍ଭବ । ଜୀବନ ମରଣର ଦୋଛକିରେ ଏପରି ମୂଲ୍ୟବାନ ଜୀବନ ପ୍ରତିଦିନ ଚାଲିଯାଏ ଆରପାରିକୁ । ଏଇତ ମୃତ୍ୟୁର କିଛି ମୁହୂର୍ତ୍ତ ପୂର୍ବରୁ ଘରେ କହିକି ଆସିଥିଲେ ଏଇଠୁ ଆସୁଛି । ହେଲେ କିଛି ସମୟ ଭିତରେ ଚାଲିଗଲା ଜୀବନ ।

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ହିନ୍ଦୋଳ ଗୁଡ଼ିଆକାଟେଣି ରାସ୍ତାର କାରନ୍ଦା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବୃଦ୍ଧ ଜଣକ ହେଲେ କାରନ୍ଦା ରଗଡି ସାହିର ୬୦ ବର୍ଷିୟ ପାର୍ଥ ବିଶ୍ଵାଳ । ଗତକାଲି ସନ୍ଧ୍ୟା ୭ଟା ସମୟରେ ପାର୍ଥ କୌଣସି କାର୍ଯ୍ୟ ନିମନ୍ତେ କାରନ୍ଦା ଛକ ନିକଟକୁ ଆସିଥିଲେ । ତେବେ ଏତିକି ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଭାରିଯାନ ପାର୍ଥଙ୍କୁ ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ପାର୍ଥଙ୍କ ମୃତ୍ୟୁ ଘଟିଥିବାବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଘଟଣ ସ୍ଥଳରୁ ଫେରାର ହୋଇଯାଇଥିଲା ।

ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ମୃତ ପରିବାରକୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବାବେଳେ ଘଟଣାସ୍ଥଳରେ ରାସୋଳ ପୋଲିସ୍ ଏବଂ ହିନ୍ଦୋଳ ତହସିଲଦାର ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ । ଏହାପରେ ବିଳମ୍ବିତ ରାତିରେ ରାସ୍ତା ଅବରୋଧ ହଟିଥିଲା । ତେବେ ହିନ୍ଦୋଳ ଠାରୁ ଗୁଡ଼ିଆକାଟେଣି ରାସ୍ତାରେ ପ୍ରତିଦିନ ଶହଶହ ଭାରିଯାନ ଅତି ଦ୍ରୁତ ଗତିରେ ଯିବା ଆସିବା କରୁଥିବା ବେଳେ ଏମାନଙ୍କ ଉପରେ ପ୍ରଶାସନ ପକ୍ଷରୁ ରୋକ୍ ଲଗାଯାଉ ନଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟିବା ସହିତ ଧନ ଜୀବନ ହାନି ହେଉଥିବା ସ୍ଥାନୀୟ ଲୋକ ପ୍ରକାଶ କରିଛନ୍ତି ।

ମୃତ୍ୟୁ, ଏକ ଏମିତି ଶବ୍ଦ ଯାହାର ନାଁ ଯିଏ ଶୁଣେ ସେ ଚିଇଁକି ଉଠେ । ଏହା ଶୁଣିବାକୁ ଭୟ ତ ଲାଗେ କିନ୍ତୁ ଏହା ନିରାଟ ସତ । ଜୀବନ ଅଛି ମାନେ ମୃତ୍ୟୁ ସୁନିଶ୍ଚିତ । ହେଲେ ଏଭଳି ଅକସ୍ମାକ ମୃତ୍ୟୁ ଭାରି କଷ୍ଟ ଦାୟକ । ପ୍ରତିଦିନ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢି ବଢି ଚାଲିଛି । ଯାହା ଥମିବାର ନା ଧରୁନି । ଏ ଦିଗରେ ଆମ ସମସ୍ତଙ୍କୁ ସତର୍କତା ରହିବା ଆବଶ୍ୟକ । ନହେଲେ ଏଭଳି ଭାବେ ବଢିଚାଲିବ ଦୁର୍ଘଟଣା ଆଉ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ।

ଆହୁରି ପଢନ୍ତୁ: କଟକରେ ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ଦୁଇମହଲା କୋଠା, ୨ ଗୁରୁତର