ଭତ୍ତା ଟଙ୍କା ପାଇଁ ଆବେଦନ କରିବାକୁ ଆସିଥିଲେ ବୃଦ୍ଧ, କିନ୍ତୁ ଚାଲିଗଲା ଜୀବନ

୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଦିବ୍ୟାଙ୍ଗ ଓ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧାଙ୍କ ପାଇଁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ଭତ୍ତା ରାଶି । ଏହି ଭତ୍ତା ରାଶି ଟିକକ ପାଇଁ ଅନେକ ବୃଦ୍ଧ ବୃଦ୍ଧା ତଥା ଦିବ୍ୟାଙ୍ଗମାନେ ଖୁସି ଅଛନ୍ତି । ସରକାର ଦିବ୍ୟାଙ୍ଗଙ୍କ ପାଇଁ ଭତ୍ତା ରାଶି ଘୋଷଣା କରିବା ପରେ ଦିବ୍ୟାଙ୍ଗଙ୍କ ଚିହ୍ନଟ ପ୍ରକ୍ରିୟା ପାଇଁ ଭୀମଭୋଇ ସାମର୍ଥ୍ୟ ଶିବିର ଆୟୋଜନ ଚାଲିଛି । ଏହାରି ଭିତରେ ଟାଙ୍ଗୀ ଚୌଦ୍ୱାର ବ୍ଲକ ତରଫରୁ ଟାଙ୍ଗୀ ସ୍କୁଲ ପଡିଆରେ ଦିବ୍ୟାଙ୍ଗ ଚିହ୍ନଟ ପ୍ରକ୍ରିଆ ଆରମ୍ଭ ହୋଇଥିଲା । ସରକାର ଘୋଷଣା କରିଥିଲେ ଯେଉଁମାନେ ୮୦ ଭାଗ ଦିବ୍ୟାଙ୍ଗ ଥିବେ ସେମାନଙ୍କୁ ୩୫୦୦ ଆର୍ଥିକ ସହାୟତା ରାଶି ଦିଆଯିବ ।
ଏହାକୁ ଦୃଷ୍ଟିରେ ରଖି ବହୁ ଆଶାୟୀ ସାମର୍ଥ୍ୟ ଶିବିର ଆସିଥିଲେ । ପ୍ରାୟ ୧ ହଜାରରୁ ଅଧିକ ଦରଖାସ୍ତ ଦେଇଥିଲେ ହିତାଧିକାରୀ । କିନ୍ତୁ ବହୁ ଆଶାୟୀ ଫେରିଯାଇଥିଲେ । ସେପଟେ ବ୍ଲକ ପ୍ରଶାସନ ତରଫରୁ ବହୁ ଅବ୍ୟବସ୍ଥା ହୋଇଥିଲା । ଡାକ୍ତର କମ ଥିଲେ, ପିଇବା ପାଣିର ସୁବିଧା ନଥିଲା, ସହାୟତା କରିବା ପାଇଁ କେହି ନଥିଲେ, ଫଳରେ ବହୁ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହାରି ଭିତରେ ଚୌଦ୍ୱାର ଚାରି ଘରିଆ ଅଞ୍ଚଳରୁ ଆସିଥିବା ଇନ୍ଦ୍ରମଣି ପୃଷ୍ଟି ଏଠାକୁ ଭତ୍ତା ରାଶି ପାଇଁ ଆବେଦନ କରିବାକୁ ଆସିଥିଲେ । କିନ୍ତୁ ହଠାତ ଅଚେତ ହୋଇ ତଳେ ପଡିଯାଇଥିଲେ ଇନ୍ଦ୍ରମଣି । ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ପରେ ସ୍ତାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏଭଳି ଘଟଣାର ତଦନ୍ତ ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।