ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇଥିବାବେଳେ, ବ୍ୟାଙ୍କ ସମ୍ମୁଖରେ ଅଚେତ ହୋଇଗଲେ ବୃଦ୍ଧ

ପାଟଣାଗଡ଼ : ଭତ୍ତା ଟଙ୍କା ପାଇଁ ବ୍ୟାଙ୍କକୁ ଆସିବାକୁ ଅସମର୍ଥ ଥିବା ହିତାଧିକାରୀଙ୍କ ଘରକୁ ଯାଇ ଟଙ୍କା ଦେଇ ଆସିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଅସହାୟ ହିତାଧିକାରୀଙ୍କ ଘରକୁ ବ୍ୟାଙ୍କ ଯିବ ବୋଲି ବାରମ୍ବାର କୁହାଯାଉଛି । ହେଲେ ଖର୍ଚ୍ଚାନ୍ତ ହୋଇ ଭତ୍ତା ଟଙ୍କା ନେବାକୁ ଯାଉଛନ୍ତି ଆସିବାକୁ ଅସମର୍ଥ ହିତାଧିକାରୀ ।
ତେବେ ଏକଥା ସମସ୍ତଙ୍କୁ ଜଣାପ କି, ବୃଦ୍ଧବୃଦ୍ଧା ମାନଙ୍କ ଘରକୁ ଭତ୍ତା ଟଙ୍କା ପହଞ୍ଚାଇବା ବ୍ୟବସ୍ଥା ରହିଛି । କିନ୍ତୁ ବଲାଙ୍ଗିର ଜିଲ୍ଲାରେ ଦେଖିବାକୁ ମିଳୁଛି ତାର ବ୍ୟତିକ୍ରମ । ଗତବର୍ଷ ବେଲପଡା ବ୍ଲକ କୁ୍ଦୋଭଟ୍ଟା ଗାଁର ଜଣେ ବୃଦ୍ଧ ବ୍ୟାଙ୍କକୁ ଭତ୍ତା ଟଙ୍କା ନେବା ପାଇଁ ଆସି ବାଟରେ ବେହୋସ ହୋଇଥିବା ବେଳେ ସରକାର ବୃଦ୍ଧବୃଦ୍ଧା ମାନଙ୍କ ଘରକୁ ଯାଇ ଟଙ୍କା ଦେବା ନିୟମ କଡାକଡି କରିଥିଲେ । ହେଲେ ଏବେବି ସେହି ନିୟମକୁ ଫୁ କରିଦେଇଛନ୍ତି ପ୍ରଶାସନ । ଯାହାଫଳରେ ପୁଣି ଜଣେ ବୃଦ୍ଧ ଭତ୍ତା ଟଙ୍କା ବ୍ୟାଙ୍କକୁ ନେବାକୁ ଆସି ଅଚେତ ହୋଇ ପଡିଥିବା ଦେଖିବାକୁ ମିଳିଛି ।
ଏଭଳି ଏକ ଘଟଣା ଘଟିଛି ଖପ୍ରାଖୋଲ ବ୍ଲକ ଲାଠୋରରେ । ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗ୍ରାମପଞ୍ଚାୟତ ବୁଢାଛାପର ଗାଁର ବୃଷଭ ବିଶ୍ୱାଳ। ଯାହାଙ୍କ ଭତ୍ତା ଟଙ୍କା ବ୍ୟାଙ୍କ ଖାତାରେ ଆସୁଥିବାରୁ ସେ ପ୍ରତିଥର ଭଳି ଅଟୋ ଯୋଗେ ଲାଠୋର ସେଣ୍ଟାଲ ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଆସିଥିଲେ । ଅଟୋରୁ ଓହ୍ଲାଇ ବ୍ୟାଙ୍କକୁ ଆସିଲା ବାଟରେ ବୃଦ୍ଧ ଜଣଙ୍କ ଅଚେତ ହୋଇ ତଳେ ପଡିଯାଇଥିଲେ ।
ତେବେ ସ୍ଥାନୀୟ ଲାଠୋରର ଜଣେ ଯୁବକ ତୁରନ୍ତ ବୃଦ୍ଧଙ୍କ ନିକଟକୁ ଦୌଡି ଆସି ତାଙ୍କୁ ତୁରନ୍ତ ତଳୁ ଉଠାଇବା ସହିତ ମୁହଁରେ ପାଣି ଛିଞ୍ଚିଥିଲେ । କିଛି ସମୟ ଭିତରେ ବୃଦ୍ଧଙ୍କ ଚେତା ଫେରିଥିଲା ଏବଂ ସେ ସୁସ୍ଥ ଅନୁଭବ କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ଏପରି ଘଟଣା ବାରମ୍ବାର ଘଟୁଥିବା ବେଳେ ପ୍ରଶାସନ ବୃଦ୍ଧବୃଦ୍ଧା ମାନଙ୍କ ପ୍ରତି ଦୟା ଦେଖାଉନି କାହିଁକି? ଏଣୁ ସରକାର ବୃଦ୍ଧବୃଦ୍ଧା ମାନଙ୍କ ବ୍ୟାଙ୍କ ଖାତାରେ ଭତ୍ତା ଟଙ୍କା ନପଠାଇ ସେମାନଙ୍କୁ ଘରେ ଭତ୍ତା ଦେବାର ବ୍ୟବସ୍ଥା କରନ୍ତୁ ବୋଲି ଜନସାଧାରଣରେ ଦାବି ହେଉଛି ।