ଘରଲୋକଙ୍କ ଗାଳି ସହି ନପାରି କଲଭର୍ଟ ତଳେ ବିତାଉଥିଲେ ଜୀବନ, ଉଦ୍ଧାର କଲେ ଲୋକେ

ଦୀର୍ଘ ଦୁଇ ମାସରୁ ଅଧିକ ଦିନ ହେବ କଲଭର୍ଟ ତଳେ ଜୀବନ ବିତାଉଛନ୍ତି ବୃଦ୍ଧ । ଘର ଲୋକେ ତାଙ୍କ ଉପରେ ରାଗିଛନ୍ତି । ତାଙ୍କୁ ଗାଳି ଗୁଲଜ କରୁଛନ୍ତି । ଆଉ ଘର ଲୋକଙ୍କ ଗାଳି ଅପବାଦ ସହି ନପାରି ଘର ଛାଡ଼ି ପଳାଇ ଆସିଛନ୍ତି । ରହିବାକୁ କୌଣସି ସ୍ଥାନ ନମିଳିବାରୁ ଏହି କଲଭର୍ଟକୁ ହିଁ ଘର ବନାଇ ଦେଇଛନ୍ତି ବୃଦ୍ଧ । କଲଭର୍ଟ ଭିତରେ ଖାଉଛନ୍ତି ଆଉ ରାତି ହେଲେ ଶୋଉଛନ୍ତି । ବଣ ଭିତରେ ସାପ ବେଙ୍ଗଙ୍କ ସହ ରହୁଛନ୍ତି ବୃଦ୍ଧ ।

ତେବେ ବୃଦ୍ଧ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଟକରା ରେଙ୍ଗାଲବେଢା ଗାଁର ଯୋହନ କାଣ୍ଡୁଲାନା । ବୟସ ତାଙ୍କୁ ୬୦ ରୁ ଉର୍ଦ୍ଧ୍ବ ହେବ । ଘର ଲୋକ ରାଗିଥିଲେ ବୋଲି ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଟେନସା – ବାରସୁଆଁ ରାସ୍ତାର କଲଭର୍ଟ ତଳେ ଜୀବନ ବିତାଉଥିଲେ ସେ । ଖବର ପାଇ ଟେନସା ଫାଣ୍ଡି ଅଧିକାରୀ ସୁଦର୍ଶନ ଦେହୁରୀ ତାଙ୍କୁ ସେଠାରୁ ଉଦ୍ଧାର କରିଥଲେ । ଆର୍ଥିକ ସହାୟତା ଦେଇ ବୁଝା ସୁଝା କରି ତାଙ୍କୁ ଘରକୁ ଯିବାକୁ ଅନୁରୋଧ କରିଥିଲେ ।

ଏଠାରେ ପ୍ରଶ୍ନ ଉଠୁଛି ଦୀର୍ଘ ଦୁଇ ମାସ ହେଲାଣି ଯୋହନ କାଣ୍ଡୁଲାନା ଘର ଛାଡ଼ି ଆସି ଏଇଠି ରହୁଛନ୍ତି । କିନ୍ତୁ କାହାକୁ ବି ଖୋଜ ଖବର ନଥିଲା । ସୌଭାଗ୍ୟବଶତଃ ତାଙ୍କର କିଛି ହୋଇ ନାହିଁ । ଯଦି ତାଙ୍କ ସହ କିଛି ଅଘଟଣ ଘଟିଥାନ୍ତା ତେବେ କିଏ ଦାୟୀ ହୋଇଥାନ୍ତା । ଯାହା ବି ହେଉନା କାହିଁକି କିଛି ଲୋକଙ୍କ ଚେଷ୍ଟାରେ ସେ ଆଜି ଏହି ସ୍ଥାନରୁ ଉଦ୍ଧାର ହୋଇ ପାରିଛନ୍ତି ।

ସମାଜରେ ଏମିତି ଅନେକ ଅସହାୟ ଲୋକ ଅଛନ୍ତି ଯେଉଁମାନେ ରହିବା ପାଇଁ ଘର ପାଉ ନାହାଁନ୍ତି କି ଖାଇବା ପାଇଁ ଖାଦ୍ୟ ପାଉ ନାହାନ୍ତି । ଘର ଲୋକଙ୍କ ନିର୍ଯାତନା ସହି ନପାରି ଏପରି ବାର ଦୁଆର ହୁଅନ୍ତି ଗରିବ ବୃଦ୍ଧ ବୃଦ୍ଧା । ଯଦି ଏମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ସାହାଯ୍ୟ ମିଳିବ ତେବେ ଏମାନେ ଭଲ ସ୍ଥାନରେ ରହି ପାରିବେ ।