ସ୍ୱେଚ୍ଛାସେବୀ ଅନୁଷ୍ଠାନର ମହାନତା: ଭିନ୍ନକ୍ଷମ ବୃଦ୍ଧଙ୍କୁ ଉଦ୍ଧାର କରି ବଢାଇଲା ସହଯୋଗର ହାତ
ବହୁ ଦୁଃଖରେ ଜୀବନଯାପନ କରୁଥିବା ଭିନ୍ନକ୍ଷମ ବୃଦ୍ଧଙ୍କୁ ଉଦ୍ଧାର କଲା ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆର୍ଶିବାଦ ସେବା ସଂଗଠନ।

ଜଗତସିଂହପୁର(କେନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚାରିପୋଲିଆ ସ୍ଥିତ ବାଁ ବରଡା ଗ୍ରାମର ମୂରଲୀ ଭୋଇ । ବୟସ ପାଖାପାଖି ୬୫ ବର୍ଷ ହେବ। ସେ ଜଣେ ୭୫ ପ୍ରତିଶତ ଭିନ୍ନକ୍ଷମ ଅଟନ୍ତି। ତେବେ ଦୁଃଖର କଥା ତାଙ୍କ ବାମପଟ ଗୋଡର ପାଦର ମାଂସ ଧିରେ ଧିରେ ଛିଣ୍ଡି ଯାଇ ଗଭିର କ୍ଷତ ହୋଇଯାଇଥିଲା।
ତାଙ୍କୁ ଚାଲିବାରେ ବହୁତ କଷ୍ଟ ହେଉଥିଲା। ମୂରଲୀ ସ୍ଥାନୀୟ ପୈାରାଞ୍ଚଳ ସ୍ମୃତି ଭବନ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସ ଦୋକାନ ବାରଣ୍ଡାରେ ରାତ୍ରୀ ଯାପନ କରନ୍ତି। ଦିନରେ ସହରରେ ବୁଲି ମାଗି ଯାଚି ଖାଆନ୍ତି। କହିବାକୁ ଗଲେ ଯେତେବେଳେ ମିଳେ ଖାଆନ୍ତି ଆଉ ଯେତେବେଳେ ନ ମିଳେ ଉପବାସ ରୁହନ୍ତି।
ଏହି ଖବର ପାଇବା ପରେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆର୍ଶିବାଦ ସେବା ସଂଗଠନ ,ତାଙ୍କୁ ସାହାଯ୍ଯ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ। ସଂଗଠନ ତରଫରୁ ଭିନ୍ନକ୍ଷମ ମୂରଲୀ ଭୋଇଙ୍କୁ ଚଳ ପ୍ରଚଳ କରିବା ପାଇଁ ନିହାତି ଟ୍ରାଇ ସାଇକେଲଟିଏ ଦେବା ସହିତ ଭତ୍ତା ପାଞ୍ଚଶହ ଟଙ୍କାରୁ ସାତ ଶହ ଟଙ୍କା ବୃଦ୍ଧି କରିବାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ନିବେଦନ କରାଯାଇଛି। ଏହା ବ୍ଯତିତ ମୂରଲୀଙ୍କର ଚିକିତ୍ସା ମଧ୍ଯ କରାଇଛନ୍ତି।
ଏହି କାର୍ଯ୍ଯରେ ସଂଗଠନର ସଭାପତି ଜଗନ୍ନାଥ ବେହେରାଙ୍କ ସମେତ ଉପଦେଷ୍ଟା ହିମାଂଶୁ ଶେଖର ଆଚାର୍ଯ୍ଯ, ଦୈତାରୀ ଭୋଇ, ପ୍ରଦିପ ଦାସ, ଜଗନ୍ନାଥ ତ୍ରିପାଠୀ ,ରଶ୍ମୀ ରଞ୍ଜନ ମହାନ୍ତି, ସରୋଜ ସ୍ୱାଇଁ, ବିଜେଦ୍ର ଦାସ ଓ ଅବସର ପ୍ରାପ୍ତ ବାୟୁସେନା ଅଧିକାରୀ ଦେବାଶିଷ ଦାସ ପ୍ରମୁଖ ସହଯୋଗ କରିଥିଲେ।