ଅସାବଧାନତା ଯୋଗୁଁ ଦାନ୍ତକାଠି ଗିଳି ଦେଇଥିଲେ ବୃଦ୍ଧ, ଡାକ୍ତରଙ୍କ ସଫଳ ଅସ୍ତ୍ରୋପଚାର

ବ୍ରହ୍ମପୁର: ଖାଦ୍ୟନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି । ଅସାବଧାନତା ଯୋଗୁଁ ଦାନ୍ତକାଠି ଗିଳି ଦେଇଥିଲେ ବୃଦ୍ଧ । ସଫଳ ଅସ୍ତ୍ରୋପଚାର କରି ଦାନ୍ତକାଠିକୁ ବାହାର କଲେ ଡାକ୍ତର । ଦୀର୍ଘ ୧ ଘଣ୍ଟା ଧରି ପରିଶ୍ରମ କରିବା ପରେ ଖାଦ୍ୟନଳୀରୁ ଦାନ୍ତକାଠିକୁ ବାହାର କରାଯାଇଛି ।

MKCG ମେଡିକାଲ ଇଏନ୍‌ଟି ବିଭାଗରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟନଳୀରୁ ୯ ଇଞ୍ଚର ଦାନ୍ତକାଠି ବାହାର କରାଯାଇଛି । ଅସାବଧାନତା ଯୋଗୁଁ ବୃଦ୍ଧଜଣଙ୍କ ଦାନ୍ତ କାଠିଟିକୁ ଗିଳି ଦେଇଥିଲେ। ଏଥିଯୋଗୁଁ ଅସହ୍ୟ ଯନ୍ତ୍ରଣା ସହ ଖାଇବାରେ ସମସ୍ୟା ଭୋଗିଥିଲେ ବୃଦ୍ଧ । ତେଣୁ ପରିବାର ଲୋକ ବୃଦ୍ଧଙ୍କୁ MKCGରେ ଭର୍ତ୍ତି କରାଇବା ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ଏସୋଫାଗୋସ୍କୋପ୍ ପଦ୍ଧତିରେ ଦୀର୍ଘ ଏକ ଘଣ୍ଟା ଧରି ଅସ୍ତ୍ରୋପଚାର ପରେ ଖାଦ୍ୟନଳୀରୁ ଦାନ୍ତକାଠିକୁ ବାହାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥ‌ିବା ବିଭାଗୀୟ ମୁଖ୍ୟ ଆସୋସିଏଟ୍ ପ୍ରଫେସର୍ ଡା. ସଞ୍ଜିତ କୁମାର ମିଶ୍ର କହିଛନ୍ତି ।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନାଟଙ୍ଗା ଗାଁର ୮୦ ବର୍ଷୀୟ କାମରାଜୁ ନାୟକ ଗତ ବୁଧବାର ସକାଳେ ଦାନ୍ତ ଘଷୁଥିବା ବେଳେ ଅସାବଧାନତାବଶତଃ ଦାନ୍ତକାଠିଟିକୁ ଗିଳି ଦେଇଥିଲେ । ବହୁ ଚେଷ୍ଟା ସତ୍ତ୍ବେ ଦାନ୍ତକାଠିଟି ବାହାରିନଥିଲା । ଫଳରେ ଖାଦ୍ୟ ଖାଇବାରେ କିଛି ଦିନ ପାଇଁ ସମସ୍ୟା ସହ ଅସହ୍ୟ ଯନ୍ତ୍ରଣା ଭୋଗିଥିଲେ କାମରାଜୁ । କିନ୍ତୁ ଡାକ୍ତରୀ ଦଳଙ୍କ ସଫଳ ଅସ୍ତ୍ରୋପଚାର ଆଜି କାମରାଜୁଙ୍କ ଜୀବନ ବଞ୍ଚାଇ ଦେଇଛି ।

ଡାକ୍ତରମାନଙ୍କୁ ଦ୍ବିତୀୟ ଭଗବାନ କୁହାଯାଏ । କାରଣ ଯେକୌଣସି ପରିସ୍ଥିତିରେ ବି ଡାକ୍ତରମାନେ ରୋଗୀଙ୍କୁ ଜୀବନ ବଞ୍ଚାଇବା ପାଇଁ ପ୍ରାଣପଣେ ଚେଷ୍ଟା କରନ୍ତି । ଆଜିର ଏ ଘଟଣା ପୁଣି ଏକଥାକୁ ପ୍ରମାଣିତ କରିଛି ।

Also Read: ଅସ୍ତ୍ରୋପଚାର ହେଲା କାଳ, ପ୍ରାଇଭେଟ୍ ହସ୍ପିଟାଲର ଅବହେଳା ଯୋଗୁଁ ଚାଲିଗଲା ଦୁଇ ଦୁଇଟି ଜୀବନ