ଟଙ୍କା ଧରି ମହିଳାଙ୍କ ଖୁସି କହିଲେ ନସରେ, ବିଗତ ୧୦ ମାସ ପରେ ମିଳିଲା ଭତ୍ତା

କୋରାପୁଟ: ମୁହଁରେ ଖିଲି ଖିଲି ହସ । ହାତରେ ଗୋଟି ଗୋଟି କରି ଗଣି ପକାଉଛନ୍ତି ଟଙ୍କା । ଲାଗୁଛି ସତେ ଯେମିତି ମାଉସୀଙ୍କୁ ପୁଳାଏ ଟଙ୍କା କୋଉଠୁ ମିଳିଯାଇଛି । ଆଉ ଏତେ ଟଙ୍କା ପାଇ ମାଉସୀ ଖୁସି ହୋଇଯାଇଛନ୍ତି । କୋରାପୁଟ ବ୍ଲକ ଉମୁରୀ ଗ୍ରାମର ବୟସ୍କା ବିଧବା ମହିଳାଙ୍କୁ ଗତ ୧୦ ମାସ ଧରି ମିଳୁନଥିଲା ଭତ୍ତା । ଆଗରୁ କିନ୍ତୁ ମିଳୁଥୁଲା ଭତା । କୌଣସି କାରଣ ନଥାଇ ହଠାତ ବନ୍ଦ ହୋଇଯାଇଥିଲା ଭତ୍ତା । ବାରମ୍ବାର ଅଫିସକୁ ଅଫିସ ଓ ବ୍ୟାଙ୍କକୁ ଯାଇ ପ୍ରମାଣ ପତ୍ର ଦେଖାଇବା ସତ୍ତ୍ୱେ କେହି ଶୁଣି ନଥିଲେ ଗୁହାରି । ବଞ୍ଚି ଥାଉଣୁ ଭତ୍ତା କିପରି କଟିଗଲା ଜାଣିବାକୁ ବହୁତ ଚେଷ୍ଟା କରି ମଧ୍ୟ ଉତ୍ତର ପାଇପାରୁ ନଥିଲେ ବୈଦେହୀ ଜାନି । ଏଣୁ ବନ୍ଦ ହୋଇଯାଇଥିବା ଭତ୍ତା ଆଉ ମିଳିବ ନାହିଁ ବୋଲି ମନରୁ ଆଶା ଛାଡି ଦେଇଥିଲେ । ଶେଷରେ ନ୍ୟାୟ ପାଇବା ପାଇଁ କଲିଙ୍ଗ ଟିଭିର ସହଯୋଗ ଲୋଡିଥିଲେ ।

କଳିଙ୍ଗ ଟିଭି ପକ୍ଷରୁ ବୈଦେହୀ ଜାନିର କଥା ଓ ବ୍ୟଥାକୁ ନେଇ ଗତ କାଲି ନିଉଜ ପ୍ରସାରଣ ହୋଇଥିଲା । ତୃଟି ରହିଥିବା ନେଇ ସ୍ବୀକାର କରିଥିଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ । ଏହାର ତ୍ବରିତ ନ୍ୟାୟ ପ୍ରଦାନ କରିବା ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଜିଲ୍ଲାପାଳ ଭି କୀର୍ତିଭାସନ କଳିଙ୍ଗ ଟିଭିକୁ ପ୍ରତିଶୃତି ଦେଇଥିଲେ ଖୁବ ଶୀଘ୍ର ବୈଦେହୀକୁ ଭତ୍ତା ପ୍ରଦାନ କରାଯିବ ବୋଲି । ଜିଲ୍ଲାପାଳ ତାଙ୍କ ପ୍ରତିଶୃତି ରକ୍ଷା କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ଅସହାୟ ବିଧବା ବୟସ୍କା ମହିଳାଙ୍କୁ ଦେଇଛନ୍ତି ନ୍ୟାୟ । ବୈଦେହୀଙ୍କୁ ଭତ୍ତା ଟଙ୍କା ପ୍ରଦାନ କରିଛନ୍ତି । ଭତ୍ତା ଟଙ୍କା ପାଇଥିବାରୁ ମାଛରା ଗ୍ରାମବାସୀ ଓ ବୈଦେହୀ ଜାନି କଳିଙ୍ଗ ଟିଭିକୁ କୃତଜ୍ଞତା ଜଣାଇଛନ୍ତି ।