ହଟିଲା ଠିକା ଓମଫେଡ ଗାଡ଼ି ଚାଳକଙ୍କ ଧାରଣା, ଆନ୍ଦୋଳନ ଯୋଗୁ ଦୁଗ୍ଧ ଯୋଗାଣରେ ବାଧାପ୍ରାପ୍ତ

ଭୁବନେଶ୍ୱର : ହଟିଲା ଠିକା ଓମଫେଡ ଗାଡ଼ି ଚାଳକଙ୍କ ଧାରଣା । କଟକ ନରାଜ ଅରିଲୋ ସ୍ଥିତ ଓମଫେଡ଼ ପ୍ଲାଣ୍ଟ ସମ୍ମୁଖରେ ଠିକା ଓମଫେଡ ଗାଡ଼ି ଚାଳକଙ୍କ ଆନ୍ଦୋଳନ ହଟିଛି। ଗୋଡିସାହି ଫାଣ୍ଡି ନିକଟସ୍ଥ ଓମଫେଡ଼ ପ୍ଲାଣ୍ଟରୁ କ୍ଷୀର ଚୋରି ଅଭିଯୋଗରେ ଜଣେ ଠିକା ଗାଡି ଚାଳକଙ୍କୁ ଉଠାଇ ନେଇଥିଲେ ପୋଲିସ । ଡ୍ରାଇଭରଙ୍କୁ ଗିରଫର ପ୍ରତିବାଦ କରି ନରାଜ ଓମଫେଡ ଫ୍ୟାକ୍ଟ୍ରି ଆଗରେ ଗାଡ଼ି ରଖି ଧାରଣାରେ ବସିଥିଲେ ସମସ୍ତ ଡ୍ରାଇଭର । ଠିକା ଶ୍ରମିକଙ୍କ ଆନ୍ଦୋଳନ ପାଇଁ ଆଜି ସକାଳୁ ଦୁଗ୍ଧ ଯୋଗାଣରେ ବାଧାପ୍ରାପ୍ତ ହୋଇଥିଲା ।

ଅନ୍ୟପଟେ ଓମଫେଡ ଏମ୍‌ଡି ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ଜଣେ ଡ୍ରାଇଭର କ୍ଷୀର ଚୋରି ଅଭିଯୋଗ ରେ ଗିରଫ ହୋଇଛନ୍ତି ।  ଏନେଇ କିଛି ଡ୍ରାଇଭର ପ୍ରତିବାଦ କରିଥିଲେ।  ଏବେ ଆନ୍ଦୋଳନ ବନ୍ଦ ହୋଇଛି । ଧିରେ ଧିରେ ସ୍ଥିତି ସ୍ଵାଭାବିକ ହେଉଛି। ଓମଫେଡ ପାଇଁ ଅଧିକ ଗାଡିର ବ୍ୟବସ୍ଥା କରାଯାଇଛି। ସକାଳେ କିଛି ଯୋଗାଣ ପ୍ରଭାବିତ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ସ୍ଥିତି ସ୍ବଭାବିକ ହୋଇଯିବ। ଓମଫେଡରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ । ଏହି ମାମଲାରେ ଆଉ କିଛି କର୍ମଚାରୀ ଜଡ଼ିତ ଅଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏମ୍‌ଡି ବିଜୟ ଅମୃତ କୁଲାଙ୍ଗେ।