ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ, ନଚେତ କାର୍ଯ୍ୟାନୁଷ୍ଠାନ

ପୁରୀ : ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ । ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ। ଏଥିପାଇଁ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ । ଅନ୍ୟ ଘିଅ ବ୍ୟବହାର କରାଗଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏଭଳି ସତର୍କ କରାଇଛନ୍ତି ଶ୍ରମନ୍ଦିର ପ୍ରଶାସକ ।

ଶ୍ରୀମନ୍ଦିର ମଧ୍ୟରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଥିବା ବେଳେ ଏନେଇ ସହଯୋଗ ପ୍ରଦାନ କରିବାକୁ ଓମେଫେଡକୁ ଅନୁରୋଧ କରିଛନ୍ତି ମୁଖ୍ୟ ପ୍ରଶାସକ । ଶ୍ରୀଜଗନ୍ନାଥ ମନ୍ଦିର ଆବଶ୍ୟକତାକୁ ନଜରରେ ରଖି ଶ୍ରୀମନ୍ଦିର ପାଇଁ ଏକ ସ୍ବତନ୍ତ୍ର ଡିପୋ ଖୋଲାଯିବା ସକାଶେ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ଡିପୋ କରାଗଲେ ଆବଶ୍ୟକତା ପୂରଣ ହେବା ସହ ଅପମଶ୍ରିତ ଘିଅକୁ ମଧ୍ୟ ରୋକାଯାଇ ପାରିବ ବୋଲି ମୁଖ୍ୟ ପ୍ରଶାସକ ଗୁରୁତ୍ବାରୋପ କରିଛନ୍ତି। ଏଥିସହିତ ଘିଅ ଦର ମଧ୍ୟ ହ୍ରାସ କରାଯିବାକୁ ବିଭିନ୍ନ ନିଯୋଗ ପକ୍ଷରୁ ହୋଇଥିବା ଅନୁରୋଧକୁ ଗ୍ରହଣ କରିବାକୁ ପତ୍ରରେ ମୁଖ୍ୟ ପ୍ରଶାସକ ଅନୁରୋଧ କରିଛନ୍ତି ।

ଅନ୍ୟପକ୍ଷରେ ଶ୍ରୀମନ୍ଦିର ମଧ୍ୟକୁ ଓମଫେଡ ବ୍ୟତୀତ ଯେପରି ଅନ୍ୟ କୌଣସି ଘିଅ ପ୍ରବେଶ ନ କରେ, ସେଥିପ୍ରତି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ । ତଦନୁସାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗକୁ ଜଣାଇ ଦିଆଯାଇଛି l ବରିଷ୍ଠ ସୁପରଭାଇଜର ଏବଂ କମାଣ୍ଡର ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ କୌଣସି ପ୍ରକାର ବ୍ୟତିକ୍ରମକୁ ବରଦାସ୍ତ କରାଯିବ ନାହିଁ, ଏଣିକି ଅନ୍ୟ ଛାପ ଘିଅ ଶ୍ରୀମନ୍ଦିରକୁ ନେବାକୁ ଚେଷ୍ଟା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସତର୍କ କରି ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like