ଅଚଳ ହୋଇ ପଡିଛି ଫୁଲବାଣୀ ପୌରପରିଷଦର ପାଣି ଟ୍ୟାପ୍ ପଏଣ୍ଟ

ଫୁଲବାଣୀ: ଅନ୍ୟ ଜିଲ୍ଲା ଅପେକ୍ଷା କନ୍ଧମାଳ ଜିଲ୍ଲାରେ ବିଳମ୍ୱରେ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହୋଇଥାଏ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗାଁ ଠାରୁ ସହର ପର୍ଯ୍ୟନ୍ତ କିପରି ବିଶୁଦ୍ଧ ପାନୀୟ ଜଳ ପାଇବେ ସେଥିପାଇଁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଅଧିକାରୀଙ୍କୁ ଭିଡିଓ କନଫରେନ୍ସ ମାଧ୍ୟମରେ ସତର୍କ କରାଇଥାନ୍ତି, କିନ୍ତୁ ଫୁଲବାଣୀ ପୈାରପରିଷଦରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକୁ ଫୁ କରିଥିବା ଦେଖିବାକୁ ମିଳିଛି ।

ଫୁଲବାଣୀ ପୌରପରଷଦ ମଧ୍ୟରେ ଛଅ ଗୋଟି ସ୍ଥାନ ମେଡିକାଲ୍ ଛକ, କୋର୍ଟ ଛକ, ଗାନ୍ଧୀ ଛକ, ମୁଖ୍ୟ ବଜାର, ମାଦିକୁନ୍ଦା ଛକ, ବସଷ୍ଟାଣ୍ଡ ଓ ସରକାରୀ ସ୍ଵୟଂ ଶାସିତ ଅଟୋନମସ୍ କଲେଜ ନିକଟରେ ବିଶୁଦ୍ଧ ପାନୀୟ ଜଳ ନିମନ୍ତେ ପାଣି ଟ୍ୟାପ୍ ପଏଣ୍ଟର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ କି ଉଭୟ ଗରମ ଓ ଥଣ୍ଡା ପାଣି ପାଇବାର ସୁବିଧା ଉପଲବ୍ଧ ରହିଛି, କିନ୍ତୁ ଗରମ ପାଣି ଆସିବା ତ ଦୁରର କଥା ସାଧାରଣ ପାଣି ମଧ୍ୟ ଆସୁନଥିବା ଦେଖିବାକୁ ମିଳିଛି ।

ଜିଲ୍ଲାରେ ଏବେ ଅଧିକା ଖରା ଅନୁଭୁତ ହେଲାଣି । ପିଇବା ପାଇଁ ପାଣି ଆଣିବାକୁ ଗଲେ ପାଣି ଟ୍ୟାପ୍ ପଏଣ୍ଟରୁ ପାଣି ଆସୁନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ବସଷ୍ଟାଣ୍ଡ, ଗାନ୍ଧି ଛକ, ମୁଖ୍ୟ ବଜାରରେ ଥିବା ପାଣି ଟ୍ୟାପ୍ ପଏଣ୍ଟ ଗୁଡିକ ଦୀର୍ଘ ମାସ ଧରି ଅଚଳ ହୋଇରହିଥିବା ବେଳେ ମାଦିକୁନ୍ଦା ଛକଠାରେ ଦୀର୍ଘ ତିନି ବର୍ଷ ଧରି ଅଚଳ ହୋଇ ପଡି ରହିଛି । ଏନେଇ ଫୁଲବଣୀ ପୌର ପରିଷଦରେ ବାରମ୍ୱାର ଅଭିଯୋଗ କଲେ ମଧ୍ୟ ଏହି ପାଣି ପଏଣ୍ଟର ମରାମତି ହେଉନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।

ଏନେଇ ଆମେ ଫୁଲବାଣୀ ପୌରପରିଷଦର ନିର୍ବାହୀ ଅଧିକାରୀ ସୁଜିତ୍ ଚୌଧୁରୀଙ୍କୁ ଅବଗତ କରାଇଥିଲୁ କିନ୍ତୁ ତାଙ୍କ ପାଖରେ ମଧ୍ୟ ପୌରପରିଷଦରେ କେତୋଟି ପାଣି ପଏଣ୍ଟ ରହିଛି କୌଣସି ସଠିକ୍ ଖବର ନଥିବା ବେଳେ କ୍ୟାମେରା ସମୁଖରେ ପ୍ରତିକ୍ରୀୟା ଦେବାକୁ ମନା କରିଥିଲେ । ଏହାର ସମାଧାନ କରାଯିବ ବୋଲି ମୌଖିକ ଭାବେ କହିଥିଲେ ।

ପରେ ଆମେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରଙ୍କ ଦୃଷ୍ଟି ଗୋଚର କରିଥିଲୁ, ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାଯିବ ବୋଲି ସେ କହିଛନ୍ତି । ଜିଲ୍ଳା ମୁଖ୍ୟ ଫୁଲବାଣୀ ପୌରପରିଷଦରେ ଯଦି ପାନୀୟ ଜଳର ଏଭଳି ସମସ୍ୟା, ତେବେ ଗ୍ରାମାଞ୍ଚଳରେ ପାନୀୟ ଜଳ କେତେ ବ୍ୟବସ୍ଥିତ ଥିବ ଏଥିରୁ ବେଶ୍ ଅନୁମେୟ ।

ଆହୁରି ପଢନ୍ତୁ: କାଳବୈଶାଖୀ ପ୍ରଭାବ, ପାଟଣାଗଡ଼ ଅଞ୍ଚଳରେ ମୁଗ ଫସଲ ନଷ୍ଟ ଅଭିଯୋଗ