ଗଣକବି ବୈଷ୍ଣବ ପାଣିଙ୍କ ପବିତ୍ର ଜନ୍ମ ଜୟନ୍ତୀ, ତାଙ୍କ ସ୍ମୃତିରେ ମ୍ୟୁଜିୟମ ପ୍ରତିଷ୍ଠା ପାଇଁ ଦାବି କଲେ ଗ୍ରାମବାସୀ

କଟକ ଜିଲ୍ଲା ମାହାଙ୍ଗାର କୋଠପଦା ଗାଁ । ଏଇଠି ଜନ୍ମ ନେଇଥିଲେ ଗଣକବି ବୈଷ୍ଣବ ପାଣି । ଆଉ ଏଇଠୁ ହିଁ ପ୍ରାଣ ପ୍ରତିଷ୍ଠା ହୋଇଥିଲା ଗୀତିନାଟ୍ୟର । ଏହି ଚାଳ ଘରଟି ଏବେବି କବିଙ୍କ କଥା ମନେ ପକେଇଦିଏ । କବିଙ୍କ ସ୍ମୃତି କହିଲେ ଏହି ଭଙ୍ଗା ଟିଣ ବାକ୍ସ ଭିତରେ ପିଢ଼ି ପରେ ପିଢ଼ି ସାଇତା ହୋଇ ରଖାଯାଇଥିବା ତାଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ଏହି ହେଉଛି କବିଙ୍କ ଚଷମା, ଦୁଆତ, କଲମ, ମାଳି, ଚୌକି, ହ୍ବିସିଲ, ଚେୟାର ଆଉ ନିଜ ହାତଲେଖା ସେ ସମୟର କିଛି ପାଣ୍ଡୁଲିପି । ଏ ଦୁର୍ମୂଲ୍ୟ ସ୍ମୃତି ସବୁକୁ ସାଇତି ରଖିବା ପାଇଁ ପ୍ରଶାସନ ପଦକ୍ଷେପ ନେଉନାହାନ୍ତି ବୋଲି କବିଙ୍କ ଅଣନାତି ଅଭିଯୋଗ କରିଛନ୍ତି ।
ପର ପିଢି ପାଇଁ ଏସବୁ ଦୁର୍ମୂଲ୍ୟ ସ୍ମୃତି ସବୁକୁ ରଖିବା ପାଇଁ ଏକ ମ୍ୟୁଜିୟମ ପ୍ରତିଷ୍ଠା କରିବା ପାଇଁ ସେ ଦାବି କରିଛନ୍ତି । ଗାଁ ଲୋକେ ମଧ୍ୟ ତାଙ୍କ ସ୍ଵରରେ ସ୍ଵର ମିଳାଇଛନ୍ତି । ଇଏ ହେଉଛି କୋଠପଦା ଗାଁର ରଘୁନାଥଜିୟୁ ମଠ । ଏଇଠି ଗୀତିନାଟ୍ୟର ଅୟଂ ଆରମ୍ଭ ହୋଇଥିଲା । ଏହି ମଞ୍ଚରୁ ହିଁ ଆରମ୍ଭ ହୋଇଥିଲା ଗୀତିନାଟ୍ୟର ଦୀର୍ଘ ବର୍ଷର ଯାତ୍ରା । କବିଙ୍କ ଅନେକ ସ୍ମୃତି ସମ୍ବଳିତ ଏହି ରଘୁନାଥଜିୟୁ ମଠ ଏବେବି ସେ ପୁରାତନ ସମୟର କଥା ମନେପକେଇ ଦିଏ ।
ଆଉ ଇଏ ହେଉଛି ବିରୂପା ନଦୀ କୁଳର ସେ ଅତି ପରିଚିତ ହରପ୍ରିୟା ଘାଟ । ଜରାଜୀର୍ଣ୍ଣ ଆଉ ଉପେକ୍ଷିତ । ଯେଉଠିକୁ ଯିବାକୁ ରାସ୍ତା ଟିଏ ବି ନାହିଁ । ଯେଉଁଠି କବିଙ୍କର ଶେଷ ଜୀବନ କଟିଥିଲା । ଆଜିର ଯୁଗରେ କେହି କେବେ ଏଠାକୁ ଆସନ୍ତି ନାହିଁ । ଏବେବି କବିଙ୍କୁ ଦେଖିଥିବା ତାଙ୍କ ଗାଁର ଶତାୟୁ ବୃଦ୍ଧା ସୁକୁଟି ସାହୁ କବିଙ୍କ କୀର୍ତିକୁ ମନେପକାନ୍ତି । ଯିଏ ତାଙ୍କ ତମାମ ଜୀବନର ସମସ୍ତ ସମୟ ଦେଇ ଓଡ଼ିଆ ସାହିତ୍ୟ, କଳା, ସଂସ୍କୃତିକୁ ସମୃଦ୍ଧ କରିଛନ୍ତି । ଗୋଟିଏ ପରେ ଗୋଟିଏ ଅନେକ ସୁନ୍ଦର ସୁନ୍ଦର ଗୀତିନାଟ୍ୟ ଲେଖିଛନ୍ତି ।
ଏକାଧାରରେ ସେ ଜଣେ କବି, ସାହିତ୍ୟିକ, ସଙ୍ଗୀତ ନିର୍ଦେଶକ, କଣ୍ଠଶିଳ୍ପୀ ଆଉ ନିପୁଣ କଳାକାର । ଗୀତିନାଟ୍ୟ ଜଗତର ଅପ୍ରତିଦ୍ୱନ୍ଦୀ ମୁକୁଟବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣି । ଆଜି ଏହି ମହାନ କବିଙ୍କର ପବିତ୍ର ଜନ୍ମ ଜୟନ୍ତୀ । କବିଙ୍କ ପ୍ରତିମୂର୍ତିରେ ପୁଣି ଥରେ ପୁଷ୍ପମାଲ୍ୟ ଦିଆଯି, ସଭାସମିତି ହେବ, ଭାଷଣ ଦିଆଯିବ । ହେଲେ ପ୍ରକୃତରେ ସବୁକିଛି ଦେଇଯାଇଥିବା ଏହି କବିଙ୍କ ସ୍ମୃତିରକ୍ଷା ପାଇଁ ଆମେ କି ପଦକ୍ଷେପ ନେଇଛେ ତାହା ଠାରେ ଚିନ୍ତା କରନ୍ତୁ ।