ବିଧାନସଭା ଅଧିବେଶନର ଆଜି ଅଷ୍ଟମ ଦିନ, ପାରିତ ହେବ ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ

ଭୁବନେଶ୍ୱର: ବିଧାନସଭା ଅଧିବେଶନର ଆଜି ଅଷ୍ଟମ ଦିନ । ୯୫ ହଜାର କୋଟି ଟଙ୍କାର ଲେଖାନୁଦାନ ଆଜି ପାରିତ ହେବ । ପୂର୍ବ ସରକାର କାମଚଳା ବଜେଟ୍ ଆଣିଥିଲେ । ଆସନ୍ତା ଦୁଇ ମାସ ପାଇଁ ଲେଖାନୁଦାନ ଆଜି ଗୃହରେ ପାରିତ ହେବ । ସେପଟେ ବିରୋଧୀ କେଉଁ ପ୍ରସଙ୍ଗ ଆଜି ବିଧାନସଭାରେ ଉଠାଇବେ? ଗତକାଲି ଗୃହରେ ନୀତି ଆୟୋଗ ରେ ସ୍ଵତନ୍ତ୍ର ଅନୁଦାନ ନେଇ ମୁଖ୍ୟମନ୍ତ୍ରୀ କଣ ଦାବି ରଖିଛନ୍ତି ସେ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ । ଏହା ଉପରେ ମୁଖ୍ୟମନ୍ତ୍ରୀ ମୋହନ୍ ମାଝୀ ଗୃହକୁ ଜଣାନ୍ତୁ ବୋଲି ଦାବି କରିଥିଲେ ।
ସେହିଭଳି ବିଧାନସଭାରେ ବଜେଟ ଆଲୋଚନା ଉପରେ ପ୍ରତିକ୍ରୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ ୨୫ ତାରିଖରେ ବିଧାନସଭାରେ ଆର୍ଥିକ ବର୍ଷ ୨୦୨୪-୨୫ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାକୁ ଜୁମଲା ବଜେଟ କହିଥିବା ବେଳେ ନୂତନ ସରକାର ଗେମ୍ ଚେଞ୍ଜର ନୁହଁନ୍ତି, ବରଂ ନେମ୍ ଚେଞ୍ଜର କହି ସମାଲୋଚନା କରିଥିଲେ । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସରକାର ରାଜ୍ୟର ବିକାଶ ପାଇଁ ବଜେଟରେ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବାରୁ ବିରୋଧୀ ଅସହିଷ୍ଣୁ ହୋଇ ପଡିଥିବା କହିଛନ୍ତି। ଏହାସହ ଏହି ବଜେଟ ଲୋକଙ୍କ ବଜେଟ୍ । ନିର୍ବାଚନ ପରେ ଏହା ଆମ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ।
ବିକଶିତ ଓଡ଼ିଶା ଗଠନ ଦିଗରେ ସ୍ପଷ୍ଟ ଖସଡ଼ା ପ୍ରସ୍ତୁତ ଦିଗରେ କାର୍ଯ୍ୟ ଚାଲିଛି । ବଜେଟରେ ମହିଳା, ଯୁବବର୍ଗ, ପଛୁଆ ବର୍ଗ, ସଂଖ୍ୟାଲଘୁଙ୍କୁ ଗୁରୁତ୍ବ ଦିଆଯାଇଛି। ଓଡ଼ିଆ ଅସ୍ମିତା ଉପରେ ଯେଉଁ ପ୍ରତିଶ୍ରୁତି ଦେଇଛୁ ପୂରଣ ହେବ ବୋଲି କହିଛନ୍ତି ମୋହନ ମାଝୀ । ନିଯୁକ୍ତି ସୃଷ୍ଟି ଉପରେ ଏହି ବଜେଟରେ ବିଶେଷ ଗୁରୁତ୍ବ ଦିଆଯାଇଛି । ଶିଳ୍ପ, ଏମଏସଏମଇ ଓ ଅନ୍ୟାନ୍ୟ କ୍ଷେତ୍ରକୁ ପ୍ରୋତ୍ସାହନ ଜରିଆରେ ଆଗାମୀ ୫ ବର୍ଷରେ ୩ ଲକ୍ଷ ୫୦ ହଜାର ନିଯୁକ୍ତି ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ନିଶ୍ଚିତ ଭାବେ ପୂରଣ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାବ୍ୟତୀତ ଖାଲି ପଡିଥିବା ଦେଢଲକ୍ଷ ମୂଳ ସରକାରୀ ପଦକୁ ଆଗାମୀ ୫ ବର୍ଷ ମଧ୍ୟରେ ନିରପେକ୍ଷ ଓ ସ୍ବଚ୍ଛତାର ସହ ପୂରଣ କରିବାକୁ ବ୍ୟାପକ ନିଯୁକ୍ତି ଅଭିଯାନ ହାତକୁ ନିଆଯିବ ।