ନବୀନ ଝଡ଼ରେ ଧରାଶାୟୀ ବିରୋଧୀ: ପ୍ରଥମ ଦିନରେ ବିଜେଡି ପ୍ରାୟ ୮୭ ପ୍ରତିଶତ ଆସନରେ ଆଗରେ ରହିଛି

କେନ୍ୟୁଜ୍(ବ୍ୟୁରୋ):ପଞ୍ଚାୟତ ମୈଦାନରେ ନବୀନ ଝଡ଼। କୌଣସି ଦଳ କୌଣସି ଜିଲ୍ଲାରେ ବିଜେଡିକୁ ଅଟକାଇ ପାରୁନାହାନ୍ତି। ପ୍ରଥମ ଦିନର ଗଣତିରୁ ସ୍ପଷ୍ଟ ସୂଚନା ଲ୍ୟାଣ୍ଡସ୍ଲାଇଡ୍‌ ଭିକ୍ଟ୍ରି ଅଭିମୁଖେ ବିଜେଡି। ଆଜି ୩୧୫ ଆସନ ପାଇଁ ଗଣତି ହେଉଛି। ବିଜେଡି ୨୭୦ରୁ ଅଧିକ ଆସନରେ ବିଜୟୀ କିମ୍ବା ଆଗରେ ରହିଛି। ଅର୍ଥାତ ୮୭ ପ୍ରତିଶତ ଆସନରେ ସଫଳତା। ବିଜେପି ପ୍ରାୟ ୨୦ ଆସନ ପାଇଛି। ଅର୍ଥାତ ୬ରୁ ୭ ପ୍ରତିଶତ ଆସନରେ ସଫଳ ହୋଇଛି ପଦ୍ମ। କଂଗ୍ରେସକୁ ୧୫-୨୦ ଆସନ ଭିତରେ ସନ୍ତୁଷ୍ଟ ହେବାକୁ ପଡିବ। ଅର୍ଥାତ ସଫଳତା ହାର ପ୍ରାୟ ୫ ପ୍ରତିଶତ।

୨୦୧୭ ନିର୍ବାଚନରେ ୮୪୯ ଆସନରୁ ବିଜେଡି ଜିତିଥିଲା ୪୭୬ ଆସନ। ସଫଳତା ହାର ଥିଲା ୫୬ ପ୍ରତିଶତ। ବିଜେପି ୨୯୭ ଅର୍ଥାତ ୩୫ ପ୍ରତିଶତ ସିଟ୍‌ ପାଇଥିଲା। କଂଗ୍ରେସ ୬୦ ଅର୍ଥାତ ୭ ପ୍ରତିଶତ ଆସନ ପାଇଥିଲା। ଅର୍ଥାତ ୨୦୧୭ ତୁଳନାରେ ପ୍ରଥମ ପର୍ଯ୍ୟାୟ ତୁଳନା କଲେ ବିଜେପି ପ୍ରାୟ ୨୭ ପ୍ରତିଶତ ସିଟ୍‌ ହରାଇଛି ଓ କଂଗ୍ରେସ ଦେଢ଼ରୁ ରୁ ୨ ପ୍ରତିଶତ ସିଟ୍‌ କ୍ଷତି ସହିଛି। ବିଜେପି ଓ କଂଗ୍ରସ ଯେଉଁ କ୍ଷତି ସହିଛନ୍ତି ତାର ସିଧା ଫାଇଦା ବିଜେଡି ଖାତାକୁ ଯାଇଛି। ଆଉ ଦୁଇ ଦିନ ଗଣତି ରହିଛି। ଯଦି ପ୍ରଥମ ଦିନର ଟ୍ରେଣ୍ଡ ଜାରି ରହେ ତେବେ ବିଜେଡି ପ୍ରାୟ ୭୨୫ଟି ଆସନ ଦଖଲ କରି ନେବ। ବିଜେଡି ପାଇଁ ଏହା ଐତିହାସିକ ସଫଳତା ହେବ। ୨୦୧୨ରେ ବିଜେଡି ୬୫୧ ଆସନରେ ଜିତିଥିଲା।

 ନବୀନଙ୍କ ଶାସନକାଳ ବଢିବା ସହ ଲୋକପ୍ରିୟତା ବଢି ଚାଲିଛି। ଆଣ୍ଟିଇନ୍‌କମ୍ବେନ୍‌ସୀ ନୁହଁ ପ୍ରୋ-ଇନ୍‌କମ୍ବେନ୍‌ସୀ ଦେଖିବାକୁ ମିଳୁଛି। ୨୦୦୦ ମସିହାରୁ ଶାସନ କ୍ଷମତାରେ ଅଛନ୍ତି। ପ୍ରତି ନିର୍ବାଚନରେ ମିଳୁଛି ସଫଳତା। ବିଧାନସଭା ନିର୍ବାଚନ ହେଉ କି ସ୍ଥାନୀୟ ନିର୍ବାଚନ, ବଢୁଛି ସଫଳତା ହାର। ବିରୋଧୀଙ୍କୁ ଧକ୍କା ପରେ ଧକ୍କା ଲାଗୁଛି। ୨୦୨୨ ନିର୍ବାଚନର ପ୍ରଥମ ଦିନ ଗଣତିରେ ୧୫ରୁ ଅଧିକ ଜିଲ୍ଲାରେ ବିଜେପି ଖାତା ଖୋଲିନି। ୨୦ରୁ ଅଧିକ ଜିଲ୍ଲାରେ କଂଗ୍ରେସ ହାତ ଖାଲି। ୨୦୧୭ର ସଫଳତାରେ ଉତ୍ସାହିତ ବିଜେପି ୨୦୨୨ରେ ସର୍ବାଧିକ କ୍ଷତି ସହିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.