କେଉଁଦିନ ଖୋଲାଯିବ ରତ୍ନଭଣ୍ଡାର ? ସେନେଇ ଆଜି ଦିନ ୧୧ଟାରେ ବସିବ ବୈଠକ
ପୁରୀ : କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ? ଆଜି ଆସିବ ନିଷ୍ପତ୍ତି । ଆଜି ପୁରୀରେ ଦିନ ୧୧ଟାରେ ବସିବ ପୁନର୍ଗଠିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ପ୍ରଥମ ବୈଠକ । ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ପୁନର୍ଗଠିତ କମିଟି ବୈଠକରେ କେଉଁ ଦିନ ରତ୍ନଭଣ୍ଡାର ଖୋଲାଯିବ ସେ ନେଇ ନିଷ୍ପତ୍ତି ହେବ। ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଓ ମୋଡାଲିଟି ନିର୍ଦ୍ଧାରଣ କରିବ କମିଟି । ଏହି ବୈଠକରେ ରତ୍ନଭଣ୍ଡାର କେଉଁଦିନ ଖୋଲାଯିବ, କେଉଁ ପଦ୍ଧତିରେ ରତ୍ନ ଆଭୂଷଣର ଗଣତି ମଣତି ହେବ, କେତେଦିନ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଜାରିରହିବ ସେନେଇ ସମସ୍ତ ନିଷ୍ପତ୍ତି ନିଆଯିବ ।
ସେହିପରି ଏହି କମିଟି ରତ୍ନଭଣ୍ଡାରର ସମ୍ପୂର୍ଣ ଯାଞ୍ଚ, ଏହାର ମରାମତି ସମ୍ପର୍କରେ ମଧ୍ୟ ଏଏସଆଇ ସଦସ୍ୟଙ୍କ ସହ ଆଲୋଚନା କରି ଏହାର ରୂପରେଖ ପ୍ରସ୍ତୁତି କରିବ । ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ପୁନଃଗଠିତ କମିଟିରେ ୧୪ ଜଣ ସଦସ୍ୟ ଓ ଜଣେ ସଦସ୍ୟ ଆବାହକ ଅଛନ୍ତି । ବିଭିନ୍ନ କ୍ଷେତ୍ରରୁ ବିଶିଷ୍ଟ ବ୍ୟକ୍ତିଙ୍କୁ କମିଟିରେ ରଖାଯାଇଛି।
୧୯୭୮ରେ ଶେଷ ଥର ପାଇଁ ଭିତର ରତ୍ନ ଭଣ୍ଡାର ଖୋଲା ଯାଇଥିଲା । ସେତେବେଳେ ପ୍ରାୟ ୭୦ ଦିନ ଧରି ଚାଲିଥିଲା ରତ୍ନଭଣ୍ଡାରରେ ଗଣତି ଓ ମଣତି କାର୍ଯ୍ୟ । ଏବେ ଏହି କାର୍ଯ୍ୟ ଅତ୍ୟାଧୁନିକ ଉପାୟରେ କରାଯିବାକୁ କଣ ଉପାୟ ଅବଲମ୍ବନ କରାଯିବ ତାହା ମଧ୍ୟ ଆଲୋଚନା କାରାଯିବ । କମିଟିରେ ସାମିଲ ହୋଇଥିବା ସଦସ୍ୟ ମାନେ ମହାପ୍ରଭୁଙ୍କ ନିକଟରେ ସମର୍ପିତ ହୋଇ ନିଷ୍ଠାର କାମ କରିବେ ବୋଲି ପ୍ରକାଶ କରିଛନ୍ତି ।