ଯାତ୍ରା ଦେଖି ଫେରିବା ଗଛରେ ପିଟି ହୋଇଗଲା ବାଇକ୍: ଜଣେ ମୃତ, ଜଣେ ଗୁରୁତର

ବିନିକା: ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣା । ଗଛରେ ପିଟି ହୋଇଗଲା ବାଇକ୍‌ । ଭାରସାମ୍ୟ ହରାଇ ବାଇକଟି ଗଛରେ ପିଟି ହେବା ଯୋଗୁଁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଥିବା ପ୍ରକାଶ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଯୁବକ ଜଣଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଏପରି ଏକ ଦୁର୍ଘଟଣା ଗତ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କମୀରା ଗାଁରେ ଘଟିଛି । ମୃତକ ହେଲେ କୃଷ୍ଣ ତାଣ୍ଡି ଓ ଗୁରୁତର ଜଣକ ହେଲେ ନରେଶ ବାରିକ ।

ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା କମୀରା ଗାଁରେ ଗତ ରାତିରେ ଯାତ୍ରା ହେଉଥିଲା । ଯାତ୍ରା ଦେଖିବା ନିମନ୍ତେ କୃଷ୍ଣ ତାଣ୍ଡି ଓ ନରେଶ ବାରିକ ସେଠାକୁ ଯାଇଥିଲେ । ଯାତ୍ରା ଦେଖି ଉଭୟ ବାଇକ୍‌ରେ ଘରକୁ ଫେରୁଥିଲେ । ମାତ୍ର ରାମପୁର ଗାଁ ନିକଟରେ ସେମାନଙ୍କ ବାଇକ୍‌ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବିନିକା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।  କିନ୍ତୁ ବିନିକା ମେଡିକାଲରେ କୃଷ୍ଣ ତାଣ୍ଡିଙ୍କ ମୃତ୍ୟୁ ହୋଇଥିବା ବେଳେ ନରେଶଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।  ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।