କଲ୍ କରିବାକୁ ହେଲେ ଯିବାକୁ ପଡ଼େ ୮ ରୁ ୧୦ କିଲୋମିଟର, ଆଜି ବି ଅବହେଳିତ ଏହି ଗାଁ

ଦଶପଲ୍ଲା: ଡିଜିଟାଲ ଯୁଗରେ ପାଦଥାପିଛି ଦେଶ । ସ୍ଵାଧୀନ ହେବାର ଦୀର୍ଘବର୍ଷ ବିତିଯାଇଥିଲେ ବି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଅନେକ ଜଙ୍ଗଲ ପାହାଡ଼ଘେରା ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଉପାନ୍ତ ଅଞ୍ଚଳ ଏବେବି ଅବହେଳିତ ହୋଇରହିଛି । ଗାଁ ରହିଛି, ସ୍କୁଲରହିଛି ,ପୋଷ୍ଟ ଅଫିସ ରହିଛି ,ପଞ୍ଚାୟତ କାର୍ଯ୍ୟାଳୟ ରହିଛି କିନ୍ତୁ ଅଟକି ରହିଛି ମୋବାଇଲ ସେବା । ଏଠାରେ କାହାକୁ କଲ୍ କରିବାକୁ ହେଲେ ଯିବାକୁ ପଡ଼େ ୮ ରୁ ୧୦ କିଲୋମିଟର ଦୂର ।

ପଞ୍ଚାୟତରେ ରହିଛି ୪ଟି ସ୍କୁଲ, ଗୋଟିଏ ବ୍ରାଞ୍ଚ ପୋଷ୍ଟ ଅଫିସ, ପଞ୍ଚାୟତ କାର୍ଯ୍ୟାଳୟ ଭଳି କିଛି ଗୁରୁତ୍ଵପୂର୍ଣ୍ଣ ଅଫିସ, ଯେଉଁଠି ଇଣ୍ଟରନେଟ ସେବା ବହୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ବହନ କରେ । କିନ୍ତୁ ପଞ୍ଚାୟତରେ ଅଟକି ରହିଛି ମୋବାଇଲ ସେବା । ତେବେ ଆମେ କହୁଛୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ବନ ପାହାଡ଼ଘେରା ଦୁର୍ଗମ ଦୁଡ଼ା ପଞ୍ଚାୟତର କଥା । ଏହି ପଞ୍ଚାୟତରେ ପାଖାପାଖି ୧୧ ଟି ଗ୍ରାମ ରହିଛି । ଯେଉଁ ଅଞ୍ଚଳକୁ ମୋବାଇଲ ସେବା ଏବେ ସାତସପନ ପାଲଟିଯାଇଛି ।

ସ୍ବାସ୍ଥ୍ୟଖରାପ ସମୟରେ ଆମ୍ବୁଲାନ୍ସକୁ ଫୋନ କରିବାକୁ ଗ୍ରାମବାସୀଙ୍କୁ ଯିବାକୁ ପଡ଼େ ପାଖାପାଖି ୮ ରୁ ୧୦ କିଲୋମିଟର ରାସ୍ତା । ଫୋନ ଓ ଇଣ୍ଟରନେଟ ସେବା ନ ମିଳିବାରୁ ଅନଲାଇନ ପାଠପଢ଼ା ସାଙ୍ଗକୁ ଜରୁରୀ କାଳୀନ ସେବା ବାଧାପ୍ରାପ୍ତ ହେଉଛି । ଜରୁରୀ ସମୟରେ ଆମ୍ବୁଲାନ୍ସ କି ଦମକଳ ବାହୀନିକୁ ଯୋଗାଯୋଗ କରିହେଉନି । ଫଳରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଜନସାଧାରଣ । ସେହିଭଳି ଦୁଡ଼ା ପଞ୍ଚାୟତ ଦଶପଲ୍ଲା ପଶ୍ଚିମାଞ୍ଚଳର ଏକ ବଣପାହାଡ଼ ଘେରା ଦୁର୍ଗମ ଅଞ୍ଚଳ । ତେଣୁ କୌଣସି ଟେଲିକମ କମ୍ପାନୀ ହେଉକି ରାଜ୍ୟ କି କେନ୍ଦ୍ରସରକାର,ଏମାନଙ୍କ ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ ।

ତତ୍ ସହିତ ପଞ୍ଚାୟତରେ ଥିବା ଶିକ୍ଷାନୁଷ୍ଠାନ, ପଞ୍ଚାୟତ କାର୍ଯ୍ୟାଳୟ କି ଆବାସ ଘରର ଜିଓ ଟ୍ୟାଙ୍ଗି କ୍ଷେତ୍ରରେ ଇଣ୍ଟରନେଟର ବହୁତ ଆବଶ୍ୟକତା ପଡୁଥିବାବେଳେ କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସି । ଗୋଟିଏ ପଟେ ନବନିର୍ବାଚିତ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ନିଜ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମୋବାଇଲ ସେବା ଉପରେ ଗୁରୁତ୍ୱାରୋପ କରି ସଂସଦରେ ପ୍ରଶ୍ନ କରିଥିବା ବେଳେ ଅନ୍ୟପକ୍ଷରେ ଖାଲି ଦୁଡ଼ା ପଞ୍ଚାୟତ ନୁହେଁ ବରଂ ଗଣିଆ ବ୍ଲକର ଅନେକ ଅଞ୍ଚଳର ସମାନ ଦଶା ।

ଏଠାରେ ମୋବାଇଲ ଟାୱାର ସ୍ଥାପନ ହୋଇଥିଲେ ସୁଦ୍ଧା କାର୍ଯ୍ୟକ୍ଷମ ହେଉନଥିବା କଥା ବିଧାନସଭାରେ ପ୍ରଶ୍ନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ପୂର୍ବରୁ ଦୁଡ଼ା ଗ୍ରାମ ପଞ୍ଚାୟତର ଏହି ମୋବାଇଲ ସେବା ସଂପର୍କରେ ଜିଲ୍ଲାପରିଷଦ ସଦସ୍ୟ ହରିଶ୍ଚନ୍ଦ୍ର ଜାନୀ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିବା ସତ୍ତ୍ୱେ “ଯଥା ପୂର୍ବ, ତଥା ପରମ” ଅବସ୍ଥାରେ ପଡ଼ିରହିଛି ଦୁଡ଼ା ଗ୍ରାମ ପଞ୍ଚାୟତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like