ପୁଣି ମୋ ବସ୍ ଓ ଅଟୋ ମଧ୍ୟରେ ଦୁର୍ଘଟଣା, ଡ୍ରାଇଭର ଅଟକ

ଭୁବନେଶ୍ବର : ଭୁବନେଶ୍ବର ନୟାପଲ୍ଲୀରେ ପୁଣି ମୋ ବସ୍ ଦୁର୍ଘଟଣା । ମୋ ବସ୍ ଓ ଅଟୋ ମଧ୍ୟରେ ଦୁର୍ଘଟଣା ଘଟିଛି । ଆହତ ଅଟୋ ଡ୍ରାଇଭରକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୋ ବସ୍ ଡ୍ରାଇଭରଙ୍କୁ ଅଟକ ରଖିଛି ପୋଲିସ । ବାରମ୍ବାର ଭୁବନେଶ୍ୱରରେ ଘଟୁଛି ମୋ ବସ୍ ଦୁର୍ଘଟଣା ।

ଆଜିକାଲିର ‘ମୋ ବସ୍‌’ ଦୁର୍ଘଟଣା ଦେଖିଲେ ଲାଗୁଛି ସତେ ଯେମିତି ‘ମୋ ବସ୍‌’ ପଣ କରିଛି ଲୋକଙ୍କ ଜୀବନ ନେବା ପାଇଁ । ଦିନ କେଇଟା ଭିତରେ କେଉଁ ବାପା ମା କୋଳରୁ ଝିଅ ନେଲାଣି ତ କାହାର ଗୋଡ଼ ହାତ । ସେଦିନ ପାତ୍ରପଡା ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ନେବାର କେଇଟା ଦିନ ନପୂରୁଣୁ ପୁଣି ମାଷ୍ଟର କ୍ୟାଣ୍ଟିନ ନିକଟରେ ଦୁଇ ଜଣକୁ ଧକ୍କା ଦେଇଥିଲା ‘ମୋ ବସ୍‌’ । ଅମାନିଆ ‘ମୋ ବସ୍‌’ । ସ୍ପିଡ୍ ଉପରେ ନାହିଁ ନିୟନ୍ତ୍ରଣ । କେତେବେଳେ କାର୍‌କୁ ଧକ୍କା ଦେଉଛି ତ ଆଉ କେତେବେଳେ କାହା ଉପରେ ମାଡି ଯାଉଛି ।

ଲଗାତାର କିଛି ଦିନ ହେବ ରାଜଧାନୀରେ ଏକପ୍ରକାର ଆତଙ୍କ ରଚୁଛି ‘ମୋ ବସ୍‌’ । ଆଉ ଏହାରି ଭିତରେ ପୁଣିଥରେ ‘ମୋ ବସ୍‌’ ଧକ୍କା । ଭୁବନେଶ୍ୱରରେ ଥିବା ମାଷ୍ଟର କ୍ୟାଣ୍ଟିନ ଛକଠାରେ ଘଟିଛି ଏଭଳି ଏକ ଘଟଣା । ପୁରୀର ରଞ୍ଜିତ ବେହେରା ଓ ତାଙ୍କ ପରିବାର ସମେତ ଜଣେ ରାଜମିସ୍ତ୍ରୀ ହୃଦାନନ୍ଦ ମହାନ୍ତି ମାଷ୍ଟର କ୍ୟାଣ୍ଟିନ ରେଲୱେ ଷ୍ଟେସନ ବସ ଷ୍ଟପରେ ଠିଆ ହୋଇଥିଲେ । ରଞ୍ଜିତ ଓ ହୃଦାନନ୍ଦ ପୁରୀ ଯାଇଥିଲେ । ପୁରୀରୁ ଭୁବନେଶ୍ୱରରେ ପହଞ୍ଚିବା ପରେ ମାଷ୍ଟର କ୍ୟାଣ୍ଟିନ ଛକରେ ନିଜ ଘରକୁ ଯିବା ପାଇଁ ଅଟୋକୁ ଅପେକ୍ଷା କରିଥିବା ବେଳେ ଧକ୍କା ଦେଇଥିଲା । ଉଭୟ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ।