ଯାଜପୁରରୋଡ଼ : ଯାଜପୁର ଜିଲ୍ଲା କୋରେଇ ଥାନା ଦୁଲାଖାପାଟଣା ରେଲୱେ ଷ୍ଟେସନ ନିକଟରେ ବାଲି ବୋଝେଇ ହାଇୱା ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ସ୍ଥାନୀୟ ଗହ୍ମାରିଆ ଗ୍ରାମର ଭଗବାନ ରଥ । ସୂଚନା ଅନୁଯାୟୀ ଗହ୍ମାରିଆ ଗ୍ରାମର ଭଗବାନ ରଥ ନିଜ ପୁଅ ସହିତ କୌଣସି କାମରେ ବୈତରଣୀ ବଜାରକୁ ଯାଇ ବଜାରରୁ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ଦୁଲାଖାପାଟଣା ରେଲୱେ ଷ୍ଟେସନ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ବାଲି ବୋଝେଇ ହାଇୱା ତାଙ୍କ ବାଇକକୁ ଧକ୍କା ଦେଇଥିଲା ।
ଫଳରେ ଘଟଣାସ୍ଥଳରେ ଭଗବାନ ରଥଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣାପଡ଼ିଛି । ଘଟଣା ସୂଚନା ପାଇ କୋରେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଅଞ୍ଚଳବାସୀ ତୁରନ୍ତ ଏହି ବେଆଇନ ବାଲିଘାଟକୁ ବନ୍ଦ କରିବା ସହିତ ମୃତକଙ୍କ ପରିବାରକୁ 15 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।