ସ୍କୁଟିକୁ ପଛପଟୁ ଧକ୍କା ଦେଇ ଜଳିଗଲା କୁରକୁରେ ବୋଝେଇ କଣ୍ଟେନର, ଜଣେ ମୃତ

ଜଳେଶ୍ବର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥ ଜମାଳପୁର ବାଇପାସ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସ୍କୁଟିକୁ ପଛପଟୁ ଧକ୍କା ଦେଲା କୁରକୁରେ ବୋଝେଇ କଣ୍ଟେନର । ଯାହାଫଳରେ ସ୍କୁଟି ଚାଳକଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି । ତେବେ ଧକ୍କା ଦେବା ପରେ କଣ୍ଟେନରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କୁରକୁରେ ପୋଡି ନଷ୍ଟ ହୋଇଯାଇଛି ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୬୦ନଂ ଜାତୀୟ ରାଜପଥ ମଧୁବନ ଢ଼ାବା ସମ୍ମୁଖରେ କଲିକତା ଆଡୁ ବାଲେଶ୍ୱର ଆଡକୁ ଆସୁଥିବା ଏକ କୁରକୁରେ ବୋଝେଇ କଣ୍ଟେନର ଏକ ସ୍କୁଟିକୁ ପଛପଟୁ ଧକ୍କା ଦେଇ ସ୍କୁଟିଟିକୁ ୧୦୦ ମିଟର ପାଖାପାଖି ଘୋଷାଡ଼ି ନେଇଥିଲା। ଯାହାଦ୍ବାରା ସ୍କୁଟିରୁ ନିଆଁ ବାହାରି କୁରକୁରେ କେଣ୍ଟନରେ ଲାଗିଯାଇଥିଲା ।

ତେବେ ଘଟଣା ସ୍ଥଳରେ ଜଳେଶ୍ୱର ଓ ବସ୍ତା ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିବାବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ମୃତ ସ୍କୁଟି ଚାଳକ ଜଣକ  ଜଳେଶ୍ୱର ନୂଆବଜାର ଅଞ୍ଚଳର ଲକ୍ଷ୍ମୀ ଧର ପାତ୍ର। ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଁଚି ଶବ ଜବତ କରି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.