ଝିମିଟି ଖେଳରୁ ମହାଭାରତ: କୁକୁଡାକୁ ନେଇ ସଂଘର୍ଷ, ଚାଲିଗଲା ଜଣଙ୍କ ଜୀବନ
ଆନନ୍ଦପୁର: ଝିମିଟି ଖେଳରୁ ମହାଭାରତ । ସତରେ କ୍ରୋଧ ମଣିଷକୁ କେଉଁ ସ୍ତରରୁ କେଉଁ ସ୍ତରକୁ ନେଇଯାଏ ତାହାକୁ କଳ୍ପନା କରିବା ଅସମ୍ଭବ। ଠିକ୍ ଏମିତି ଏକ ଘଟଣା ଘଟିଯାଇଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଁରା ଗ୍ରାମରେ । ଯେଉଁଠି ଗୋଟିଏ କୁକୁଡା ପାଇଁ ଚାଲିଯାଇଛି ଜଣଙ୍କ ଜୀବନ।
ଘଟଣା ଅନୁଯାୟୀ, ଗାଁର ଭିମା ଖଣ୍ଡେଇଙ୍କ ପରିବାର ନିଜ ବାଡିର ଶାଗ କିଆରିରେ ବିଷ ପକାଇଥିଲେ । ତେବେ ତାଙ୍କ ପଡୋଶୀ ଲକ୍ଷ୍ମଣ ମଲ୍ଲିକ୍ ଙ୍କ କୁକୁଡା ଭିମାଙ୍କ ବାଡିରେ ପଶି ଶାଗ ଖାଇବାରୁ କୁକୁଡାଟି ମରି ଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା କଥା କଟାକଟି । ଏହାକୁ ନେଇ ସାହିରେ ଭଦ୍ରଲୋକଙ୍କୁ ଡକାଯାଇ ଗତକାଲି ରାତିରେ ନ୍ଯାୟ ବସିଲା । ଏହି ସମୟରେ ଗାଁର ଦୁଇ ଭଦ୍ରଲୋକ ବାବନ ବେହେରା ଓ ଆନନ୍ଦ ନାୟକଙ୍କ ପରିବାର ମଧ୍ଯରେ ଯୁକ୍ତିର୍ତକ ଲାଗିଥିଲା ।
ଏଥିରେ ଉତକ୍ଷିପ୍ତ ହୋଇ ବାବନ ବେହେରାଙ୍କ ପୁଅ ଏକ କ୍ରିକେଟ୍ ବ୍ୟାଟ୍ ରେ ଆନନ୍ଦଙ୍କ ମୁଣ୍ଡକୁ ମାରିଦେବାରୁ ସେ ଗୁରୁତର ହୋଇପଡିଥିଲେ। ଏହାପରେ ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ଯୁ ଘଟିଛି । ତେବେ ଏନେଇ ଖବରପାଇବା ପରେ ପୋଲିସ୍ ଗାଁରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।