୫୩ନଂ ଜାତୀୟ ରାଜପଥ ବାଲିସାହି ତାରିଣୀ ଛକ ନିକଟରେ ଦୁର୍ଘଟଣା, ଜଣେ ମୃତ ସହ ଜଣେ ଗୁରୁତର

ଯାଜପୁର (କେନ୍ୟୁଜ): ୫୩ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଚାଲିଗଲା ଜଣଙ୍କର ଜୀବନ । ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥ ବାଲିସାହି ତାରିଣୀ ଛକ ନିକଟରେ ଟ୍ରକ ଧକ୍କାରେ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ଏହି ଥାନା ବରମୁଣ୍ଡୁଳି ଗ୍ରାମର ଚୈତନ୍ୟ ସାମଲ ହୋଇଥିବା ବେଳେ ଆହତ ବ୍ୟକ୍ତି ଜଣକ ସେହି ଗ୍ରାମର ଅକ୍ଷୟ ଦଳେଇ ବୋଲି ସୂଚନା ମିଳିଛି । ଆଜି ଅପରାହ୍ନରେ ବାଇକରେ ଦୁହେଁ ଚଣ୍ଡିଖୋଲରୁ ଘରକୁ ଫେରୁଥିବା ବେଳେ ବାଲିସାହି ଛକ ନିକଟରେ ପଛପଟୁ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବାଇକ ଚଳାଉଥିବା ଅକ୍ଷୟ ଛିଟିକି ପଡିଥିବା ବେଳେ ପଛରେ ବସିଥିବା ଚୈତନ୍ୟ ଅନ୍ୟ ଏକ ଟ୍ରକରେ ପିଟି ହେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଆହତ ଅକ୍ଷୟଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ଖବର ପାଇ ଜେନାପୁର ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଡଚଣା ପଠାଇଛି । ଏନେଇ ଏକ ମାମଲା ରୁଜୁ କରି ଉଭୟ ଗାଡିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି । ତେବେ ରାଜେନୈତିକ ଆକ୍ରୋଶ ରଖି ଏଭଳି ଦୁର୍ଘଟଣା ଘଟାଇଥିବା ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ କିଛି ସମୟ ପାଇଁ ରାସ୍ତା ଅବରୋଧ କରିଥିବା ବେଳେ ସେମାନଙ୍କୁ ପୋଲିସ ବୁଝାସୁଝା କରିଥିଲା ।