ସଡକ ଦୁର୍ଘଟଣାରେ ଜଣେ ମୃତ, ଡ୍ରାଇଭର ଫେରାର, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ସୋର : ବାଲେଶ୍ବର ଜିଲ୍ଲା ଖଇରା ଥାନା ଅମାରିଆ ଅଗ୍ନୀପୁର ଧୁବାଗଡ଼ିଆ ରାଣୀତଲ ରାସ୍ତାର ପାଣିଛତ୍ର ଛକ ନିକଟରେ ଏକ ବୋଲେରୋ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି । ଖବରୁ ପ୍ରକାଶ ଏହି ଗ୍ରାମର ସନାତନ ମହାନ୍ତି କାମ ସାରି ଘରକୁ ଫେରୁଥିବା ବେଳେ ଧୁବାଗଢିଆରୁ ରାଣୀତାଲ ଅଭିମୁଖେ ଯାଉଥିବା ଏକ ବୋଲେରୋ ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା ।

ତେବେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିଲା । ସ୍ଥାନୀୟ ଅଞ୍ଚଳବାସୀ ସଙ୍ଗେ  ସଙ୍ଗେ ଖଇରା ମେଡିକାଲ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ସେଠି ମୃତ୍ୟୁ ଘୋଷଣା କରିଥିଲେ । ପରେ ଉତ୍ୟକ୍ତ ଗ୍ରାମବାସୀ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ଖବର ପାଇ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ଉତ୍ୟକ୍ତ ଲୋକେ ଉଚିତ କ୍ଷତି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଖବର ଲେଖା ହେବା ଯାଏ ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ୱରେ ଯାନବାହନ ଅଟକି ଯାତାୟାତ ବନ୍ଦ ରହିଛି ।