ଲଗାଣ ବର୍ଷା ହେଲା କାଳ: କାନ୍ଥ ପଡି ବାପା ମୃତ, ପୁଅ ଗୁରୁତର
ସୁନ୍ଦରଗଡ଼ ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ ଘଟିଛି ଅଘଟଣ। କାନ୍ଥ ଭୁଶୁଡ଼ି ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅର ଅବସ୍ଥା ଗୁରୁତର ରହିଛି।
ସୁନ୍ଦରଗଡ଼ (କେନ୍ୟୁଜ) : ମାଟି କାନ୍ଥ ତଳେ ଚାପି ହୋଇ ଜଣେ ମୃତ। ରାତିରେ ଶୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଭୁଶୁଡି ଗଲା ମାଟି କାନ୍ଥ । ସୁନ୍ଦରଗଡ଼ ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ ଘଟିଛି ଏଭଳି ଘଟଣା । କାନ୍ଥ ଭୁଶୁଡ଼ି ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅର ଅବସ୍ଥା ଗୁରୁତର ରହିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କୁରୁନାଥ ସାନ୍ତା । ଆହତ ପୁଅକୁ ବଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି
ସୂଚନା ଅନୁସାରେ ଲଘୁଚାପ ପ୍ରଭାବରେ ସୁନ୍ଦରଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଛି । ଗତକାଲି ରାତିରେ କୁରୁନାଥ ଓ ତାଙ୍କ ପୁଅ ଘରେ ଶୋଇଥିଲେ। ମାଟି କାନ୍ଥ ଓଦା ହୋଇ ବିଳମ୍ବିତ ରାତିରେ ଭୁଶୁଡ ପଡ଼ିଥିଲା । ଯେଉଁଥିରେ କାନ୍ଥ ତଳେ କୁରୁନାଥ କାନ୍ତା ଚାପି ହୋଇ ଯାଇଥିଲେ । ପାଖରେ ଶୋଇଥିବା ପୁଅ ଉପରେ ମଧ୍ୟ କାନ୍ଥଟି ଅଳ୍ପ ପଡ଼ିଥିଲା। ବାପପୁଅଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ। କୁରୁନାଥଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସୁନ୍ଦରଗଡ଼ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଅର ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ସୂଚନା ମିଳିଛି।