୨୦୦ ପରିବାରକୁ ସାହା ଭରସା ଏକମାତ୍ର ନଳକୂପ, ପାନୀୟ ଜଳ ପାଇଁ ଡହଳ ବିକଳ ଗ୍ରାମବାସୀ

ଛତ୍ରପୁର: ରାଜ୍ୟରେ ଖରାର ପ୍ରକୋପ ବଢ଼ିଲାଣି । ଅସହ୍ୟ ଗରମ ଯୋଗୁଁ ଲୋକେ ଘରୁ ବାହାରକୁ ବାହାରିବାକୁ ଭୟ କଲେଣି । ଏଭଳି ପରିସ୍ଥିତିରେ ଛତ୍ରପୁର ବ୍ଲକରେ ଦେଖାଦେଇଛି ଜଳ ଯନ୍ତ୍ରଣା । ଛତ୍ରପୁର ବ୍ଲକର ଭିକାରିପଲ୍ଲୀ ପଞ୍ଚାୟତର ଗୋଲାପଲ୍ଲୀ ଗ୍ରାମରେ ୨୦୦ ପରିବାରକୁ ସାହା ଭରସା ଏକମାତ୍ର ନଳକୂପ । ପାନୀୟ ଜଳ ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ । ଛତ୍ରପୁର ବ୍ଲକ ୧୮ ଟି ପଂଚାୟତକୁ ନେଇ ଗଠିତ । ଏହି ବ୍ଲକରେ ପାଣି ସମସ୍ୟା ଏବେ ଉତ୍କୃଷ୍ଠ ରୂପ ଧାରଣ କରିଛି ।

ସ୍ଥିତି ଏମିତି ହୋଇଛି ଯେ ବ୍ଲକର କେତେକ ଗ୍ରାମରେ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଥିବା ନଳକୂପ ଓ ପୋଖରୀ ସାହା ଭରସା ପାଲଟିଛି । ହେଲେ ପାଣି ସମସୟାର ସ୍ଥାୟୀ ସମାଧାନ ହୋଇପାରୁନଥିବାରୁ ଖରା ଦିନ ଆସିବା ମାତ୍ରକେ ସବୁ ଗାଁରେ ହାହାକାର ସ୍ଥିତି ଉପଜୁଛି । ଭିକାରୀପଲ୍ଲୀ ପଂଚାୟତର ଗୋଲାପଲ୍ଲୀ ଗାଁରେ ଜଳ ଯୋଗାଣ ପ୍ରକଳ୍ପ ନାହିଁ । ପ୍ରକଳ୍ପ ନିର୍ମାଣ କେବଳ ପ୍ରଶାସନିକ ଅଧିକାରୀ ଓ ରାଜନେତାଙ୍କ ପ୍ରତିଶୃତି ମଧ୍ୟରେ ସିମୀତ ହୋଇ ରହିଛି ।

ଜଳ ଯୋଗାଣ ପାଇଁ ସରକାର ଗୋଟିଏ ପଟେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏହି ଗ୍ରାମର ଲୋକେ ଆଜି ବି ଭୁତଳ ଜଳ ଉପରେ ନିର୍ଭର କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ, ଗୋଲାପଲ୍ଲୀ ଗ୍ରାମର ୨୦୦ ପରିବାର ବସବାସ କରୁଥିବା ବେଳେ ସେମାନଙ୍କ ପାଇଁ ଏକମାତ୍ର ନଳକୂପ ଭରସା ରହିଛି । ନଳକୂପ ଅଚଳ ହେଲେ ଅସ୍ୱାସ୍ଥ୍ୟକର ପରିବେଷ ଭିତରେ ଥିବା ପୋଖରୀ ଉପରେ ନିର୍ଭର କରୁଛନ୍ତି ଗାଁ ଲୋକେ । ଗ୍ରାମ ପାଇଁ ଏକ ସୌର ଚାଳିତ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ ହୋଇଥିବା ବେଳେ ପ୍ରାୟ ୩ ରୁ ୪ ବର୍ଷ ହେଲା ସେହି ପ୍ରକଳ୍ପ ଟି ଅଚଳ ହୋଇ ପଡିଛି ।

ପ୍ରକଳ୍ପର ମରାମତି ନ ହେବାରୁ ଗଛଲତା ଭିତରେ ପ୍ରକଳ୍ପଟି ରହିଛି । ୨୦୦ ପରିବାର ପାନୀୟ ଜଳ ପାଇଁ ଏକମାତ୍ର ନଳକୂପ ଉପରେ ଭରସା କରିଛନ୍ତି । ନଳକୂପ ଟି ଅଚଳ ହେଲେ ଗ୍ରାମରେ ଥିବା ପୋଖରୀ ଉପରେ ଗ୍ରାମବାସୀ ନିର୍ଭର କରୁଛନ୍ତି । ଯେଉଁ ପୋଖରୀରେ ଗ୍ରାମର ଗାଇ ଗୋରୁ ମଇଁଶି ଗାଧେଇବା ପାଇଁ ବ୍ୟବହାର କରୁଥିବା ବେଳେ ଲୋକେ ଶୌଚ ହେଉଛନ୍ତି । ଏବେ ଖରା ଦିନ ଆସିଲେ ସେମାନଙ୍କ ଯନ୍ତ୍ରଣା ବଢି ଯାଇଛି । ଗ୍ରାମର ମହିଳା ମାନେ ଗୋଟାଏ ନଳକୂପରୁ ପାଣି ନେବା ପାଇଁ ଲାଇନ ଲଗାଉଛନ୍ତି ।

ଫଳରେ ସେମାନେ ସେମାନଙ୍କ ମଧ୍ୟରେ ମାରପିଟ ଭଳି ଝଗଡା ଲାଗି ରହୁଛି । ଏଣୁ ଗ୍ରାମରେ ଗରକୁ ଘର ପାନୀୟ ଜଳ ଯୋଗାଇବା ପାଇଁ ସେମାନେ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି । କେବଳ ଭୋଟ ବେଳେ ଗ୍ରାମକୁ ଆସି ଖାଲି ପ୍ରତିଶୃତି ସିନା ଦେଉଛନ୍ତି ହେଲେ, ଲୋକଙ୍କ ସମସ୍ୟାର ସମାଧାନ ପାଇଁ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ସେମାନଙ୍କ ପାଖକୁ ଆସୁନଥିବା ଗ୍ରାମର କିଛି ମହିଳା କହିଛନ୍ତି । ତେବେ କେବେ ଏମାନଙ୍କ ଜଳ କଷ୍ଟ ଦୂର ହେବ ତାହା ଦେଖିବା ବାକି ରହିଲା ।

Also read: ମୌଳିକ ସୁବିଧାରୁ ବଞ୍ଚିତ ଡାଢିଆପଦର ଗ୍ରାମବାସୀ, ଗାଁକୁ ନାହିଁ ରାସ୍ତା ନାହିଁ ପାନୀୟ ଜଳର ବ୍ୟବସ୍ଥା