ଖାଉଟିଙ୍କୁ କନ୍ଦାଉଛି ଦରଦାମ, ପିଆଜ ରସୁଣ ଦର ଶୁଣି ମୁଣ୍ଡରେ ହାତ ଦେଉଛନ୍ତି ଗ୍ରାହକ

ଖାଉଟିଙ୍କୁ କଲବଲ କଲାଣି ଦରବୃଦ୍ଧି । କିଛିଦିନ ତଳେ ଆଳୁ ଦର ବୃଦ୍ଧିକୁ ନେଇ ରାଜ୍ୟବାସୀ ମୁଣ୍ଡରେ ହାତ ଦେଇଥିଲେ। ଖାଉଟିଙ୍କ ଅସନ୍ତୋଷ ପରେ ଏବେ ଆଳୁ କେ.ଜି. ୬୦ରୁ ଏବେ ୩୫ ତଳକୁ ଖସିଛି। ହେଲେ ଏବେ ପିଆଜ, ରସୁଣ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ମାସେ ଧରି ପରିବା ଦର ବଢ଼ି ଥିବା ବେଳେ ଏବେ ପିଆଜ, ରସୁଣ, ଅଦା କିଣିବାକୁ ଡରିଲେଣି ଖାଉଟି । ଗରିବ ଲୋକଙ୍କ କଥା ଛାଡ଼ ମଧ୍ୟବିତ୍ତ ପରିବାର ରୋଷେଇଘରୁ ଉଭାନ ହେଲାଣି ପିଆଜ, ଅଦା, ରସୁଣ ।

ଖବର ଅନୁଯାୟୀ, ବ୍ରହ୍ମପୁର, ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ରସୁଣ ଏବଂ ପିଆଜ ଦର ଆକାଶ ଛୁଆଁ ହେଲାଣି। ବ୍ରହ୍ମପୁରରେ ପିଆଜ କିଲୋଗ୍ରାମ ପିଛା ୫୫ ଟଙ୍କାରେ ବିକ୍ରି ହେଉଥିବାବେଳେ ରସୁଣ କିଲୋଗ୍ରାମ ପ୍ରତି ୪୦୦ ଟଙ୍କା ରହିଛି। ସେହିପରି ଭୁବନେଶ୍ୱରରେ ପିଆଜ ମୂଲ୍ୟ କିଲୋଗ୍ରାମ ପ୍ରତି ୬୦କୁ ବୃଦ୍ଧି ପାଇଥିବା ବେଳେ ରସୁଣ କିଲୋ ୩୦୦ ରୁ ୩୫୦ ଟଙ୍କାରେ ବିକ୍ରି ହେଉଛି । କିଛିଦିନ ଧରି ଆଳୁଦର ଲୋକଙ୍କୁ ଘାଣ୍ଟି ଦେଇଥିବାବେଳେ ଏବେ ପିଆଜ, ଅଦା, ରସୁଣ ଲୋକଙ୍କ ହାଣ୍ଡିଶାଳରୁ ଉଭାନ ହେଲାଣି । ବର୍ଷା ଯୋଗୁ ନାଶିକରୁ ପିଆଜ ଯୋଗାଣ ବିଳମ୍ବ ହେଉଛି। ଯାହା ଫଳରେ ଦର ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।

ଓଡ଼ିଆ ଖାଦ୍ୟରେ ନିତିଦିନିଆ ଭାବେ ବ୍ୟବହୃତ ମସଲା ଅଦା, ପିଆଜ ଓ ରସୁଣର ଆକାଶଛୁଆଁ ଦରର ପ୍ରଭାବ ଏବେ ହାଣ୍ଡିଶାଳଠାରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳୁଛି। ବଜାରରେ ଯଥେଷ୍ଟ ପରିମାଣର ମହଜୁଦ୍‌ ଥିଲେ ମଧ୍ୟ ଉଚ୍ଚା ଦର ଖାଉଟିଙ୍କ ମନକୁ ଖଟା କରିଦେଉଛି। ଅତି ଜରୁରୀଥିଲେ ୫୦ କିମ୍ବା ୧୦୦ଗ୍ରାମ୍‌ ନେଇ କାମ ଚଳାଉଛନ୍ତି। ଦରଦାମ ବୃଦ୍ଧିକୁ ନେଇ ଖାଉଟି ଅସନ୍ତୋଷ ପ୍ରକାଶ କରୁଥିବାବେଳେ ଖୁଚୁରା ବ୍ୟବସାୟୀ କ୍ଷତି ସହୁଥିବା କହୁଛନ୍ତି। ତେବେ ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ଆଗାମୀ ଦିନରେ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।