ପୁଣି ବେଲଗାମ୍ ପିଆଜ ଦରକୁ ନେଇ ଚିନ୍ତାରେ ଜନସାଧାରଣ

ଭୁବନେଶ୍ୱର: ପିଆଜ ଚିନ୍ତା । ବଜାରରେ ହୁ ହୁ ହୋଇ ବଢିଚାଲିଛି ପିଆଜ ଦର । ବେଲଗାମ୍ ପିଆଜ ଦରକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଜନସାଧାରଣ । କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଉପରମୁହାଁ ହୋଇଛି ପିଆଜ ଦର । ତେବେ ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ପିଆଜ ଦର କିଲୋ ପ୍ରତି ୭୦ରୁ ୮୦ ଟଙ୍କାରେ ପହଞ୍ଚିଛି । ରାଜଧାନୀ ହାଟରେ ନୂଆ ପିଆଜ ଦର ୭୦ ଟଙ୍କା ଥିବା ବେଳେ ପୁରୁଣା ପିଆଜ ଦର ୮୦ ଟଙ୍କା ରହିଛି । ଯାହା ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଆଳୁ ପରେ ପରେ ଏବେ ଲଗାତର ଭାବେ ପିଆଜ ଦର ବୃଦ୍ଧି ହେଉଥିବାରୁ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ମହାରାଷ୍ଟ୍ର ନାସିକରୁ ଆବଶ୍ୟକ ଅନୁସାରେ ପିଆଜ ନଆସୁଥିବାରୁ, ରାଜ୍ୟରେ ଦର ବଢୁଥିବା ସୂଚନା । ଅନ୍ୟପଟେ କାର୍ତ୍ତିକ ମାସରେ ମୁଖ୍ୟତଃ ପିଆଜ୍ ଦରଦାମ୍ ବୃଦ୍ଧି ହୁଏ ବୋଲି କହିଛନ୍ତି ବ୍ୟବସାୟୀ ।

ପୁଣି କନ୍ଦାଇଲାଣି ପିଆଜ ଦର । ଅଧିକାଂଶ ସ୍ଥାନରେ ପିଆଜ କିଲୋ ପ୍ରତି ୮୦ ଟଙ୍କାରେ ବିକ୍ରି ହେଉଛି । କିଛି ଦିନ ପରେ ପୁଣି ହଠାତ ପିଆଜ ଦର ବଢିଥିବାରୁ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପନିପରିବା ଦର ଆକାଶ ଛୁଆଁ ଥିବା ବେଳେ ହଠାତ୍ ପିଆଜ ଦର ଖାଉଟିଙ୍କୁ ହନ୍ତସନ୍ତ କରିଛି । ଏପଟେ ଏହି ପିଆଜ ସଙ୍କଟର ସମାଧାନ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

 

You might also like