ଚୌଦ୍ବାର: ଲୋକଙ୍କୁ ଚୁନା ଲଗାଇଲା ଅନଲାଇନ୍ କମ୍ପାନୀ । ମାୟାରେ ଫସି ଟଙ୍କା ହରାଇଲେ ଲୋକେ । ଗାଁ ଲୋକଙ୍କୁ ଡାକି ବୈଠକ କଲେ । ମଟନ ଖାଇବାକୁ ଦେଇ ଅନଲାଇନ୍ ଆପ୍ ରେ ଟଙ୍କା ବିନିଯୋଗ କରିବାକୁ କହିଲେ । ରାତାରାତି ଲକ୍ଷ ପତି ହେବାର ସ୍ବପ୍ନ ଦେଖାଇଲେ । କିନ୍ତୁ ଏବେ ଲୁହରେ ପରିଣତ ହୋଇଛି ସବୁ ଖୁସି । ସେହି କମ୍ପାନୀ ସହ ଜଡ଼ିତ ଥିବା ବ୍ୟକ୍ତି ପ୍ରଦିପ କୁମାର ଦାସ ଓ ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ନାମରେ ଅଞ୍ଚଳ ବାସୀ କଟକ ଟାଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଟାଙ୍ଗୀ ଚୌଦ୍ବାର ବ୍ଲକ ଜରିପଡା ପଞ୍ଚାୟତର ସର୍ବାଧିକ ଯୁବପିଢି ଏଭଳି ମାୟାରେ ଫସି ଲକ୍ଷ ଲକ୍ଷ ଟଙ୍କା ହରାଇଛନ୍ତି । ବିନା ପରିଶ୍ରମରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ଆଶାରେ ଟଙ୍କା ବିନିଯୋଗ କରିଥିଲେ । କିନ୍ତୁ ଟଙ୍କା ବୁଡିଯିବା ପରେ ଯୁବପୀଢ଼ିଙ୍କ ମୁଣ୍ଡରେ ପଡିଛି ଚଡ଼କ ।
ସରକାର ଅନଲାଇନ ଗେମ୍ ଉପରେ ଅଙ୍କୁଶ ଲଗାଇଛନ୍ତି । ଗାଁର ପ୍ରଫୁଲ୍ଲ ସ୍ୱାଇଁ ଏକ ଅନଲାଇନ ଆପ୍ କୁ ନେଇ ବୈଠକ କରାଇଥିଲେ । କେବଳ ପଞ୍ଚାୟତ ନୁହେଁ ଅନ୍ୟାନ୍ୟ ବ୍ଳକରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ବଢ଼ାଯିବା ସହିତ ସମସ୍ତେ ସାମିଲ ହୁଅନ୍ତୁ ବୋଲି ଜନସାଧାରଣଙ୍କୁ ଅପିଲ କରିଥିଲେ ପ୍ରଫୁଲ୍ଲ ସ୍ୱାଇଁ l କିନ୍ତୁ ଏବେ ଉଭାନ ହୋଇଯାଇଛି ଅନଲାଇନ୍ ଆପ୍ । ପ୍ରଫୁଲ୍ଲ ସ୍ୱାଇଁଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି l
ଏହି ଅନଲାଇନ୍ ଆପରେ ଯୋଡ଼ି ହେବାକୁ ହେଲେ ୨୧୫୦, ୫୫୦୦, ୧୬୫୦୦, ୪୯୫୦୦ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଦେବାକୁ ହୋଇଥାଏ । ଏହି କମ୍ପାନୀ ଲକି କୁପନ୍ ତଥା ଆକର୍ଷଣୀୟ ଉପହାର ଦେଇ ଲୋକଙ୍କୁ ଆପରେ ଟଙ୍କା ବିନିଯୋଗ କରିବା ପାଇଁ କହିଥିଲା । ଗ୍ରାହକମାନଙ୍କୁ ଲୋଭ ଦେଖାଇ ଫଣ୍ଡରେ ଟଙ୍କା ଲଗାଇ ୭ ଦିନରେ ଚାରି ଗୁଣା ହୋଇ ପାରିବ ଟଙ୍କା ବୋଲି କହିଥିଲା କମ୍ପାନୀ । ଯାହାକୁ ନେଇ ବିଭିନ୍ନ ସ୍ଥାନରେ ମିଟିଙ୍ଗ କରାଯାଇଥିଲା । ତେବେ ଜରିପଡା ପଞ୍ଚାୟତରେ ୫ ହଜାରରୁ ଉର୍ଦ୍ଧ୍ଵ ଯୁବକ ଯୁବତୀ ଏହି ଅନଲାଇନ୍ ଆପ୍ ମାୟା ଜାଲରେ ଛନ୍ଦି ହୋଇ ଲକ୍ଷ ଲକ୍ଷ ଟଙ୍କା ହରାଇ କାନ୍ଦୁଛନ୍ତି ।
ଗରିବ ଲୋକମାନେ ସଞ୍ଚିତ ଅର୍ଥ ଆଉ କିଛି ବ୍ୟକ୍ତି ଘରେ ରଖିଥିବା ଗହଣା ବିକି ଏହି ଆପରେ ଟଙ୍କା ଲଗାଇଥିଲେ । କିନ୍ତୁ ଲକ୍ଷପତି ହେବାର ସ୍ୱପ୍ନ ଅଧୁରା ରହିଗଲା । ଏବେ ଟଙ୍କା ଫେରି ପାଇବା ଆଶାରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ଟଙ୍କା ଲଗାଇଥିବା ବ୍ୟକ୍ତି । କୌଣସି ଅନଲାଇନ୍ ଆପରେ ଟଙ୍କା ନଲଗାଇବା ପାଇଁ ବାରମ୍ବାର କୁହାଯାଉଛି । ତା ପରେ ବି ଲୋକମାନେ ଏମିତି ଟଙ୍କା ଲଗାଇ ଲକ୍ଷ ଲକ୍ଷ ହରାଉଛନ୍ତି ।
Also Read: ଏଣିକି ଅନଲାଇନରେ ବୁକ୍ ହେବ ଆମ୍ବୁଲାନ୍ସ, ଓଡ଼ିଶା ଯାତ୍ରୀ ଆପ୍ରେ ଯୋଡ଼ି ହେବ ଏହି ସେବା