ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ’ରେ ତାଲିମ ପାଠ୍ୟକ୍ରମ: ଆବେଦନର ଶେଷ ତାରିଖ ଅଗଷ୍ଟ ୩୦

ଭୁବନେଶ୍ୱର : ଦେଶ ବିଦେଶରେ ‘ପ୍ରିସିସନ ଇଞ୍ଜିନିୟରିଂ’ କ୍ଷେତ୍ରରେ ରହିଛି ଆକର୍ଷଣୀୟ କ୍ୟାରିୟର ସୁଯୋଗ। ତେଣୁ ଓଡ଼ିଶାର ଯୁବପିଢ଼ିଙ୍କ ପାଇଁ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ଅତ୍ୟାଧୁନିକ ପାଠ୍ୟକ୍ରମରେ ତାଲିମ ଦିଆଯାଉଛି। ବର୍ତ୍ତମାନ ସମୟରେ ବଡ଼ ବଡ଼ ସହରରେ ଆପାର୍ଟମେଣ୍ଟ ସହିତ ବିମାନବନ୍ଦର, ରେଳ ଷ୍ଟେସନ ଏବଂ ମଲ୍ ଆଦି ନିର୍ମାଣ ହେଉଛି। ଏଠାରେ ଲୋକଙ୍କ ଯିବା ଆସିବା ଓ ଜିନିଷପତ୍ର ପରିବହନ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏଥିପାଇଁ ଲିଫ୍ଟ, ଏସ୍କାଲେଟର ଓ ଟ୍ରାଭେଲେଟର ଆଦିର ଚାହିଦା ବଢ଼ିବାରେ ଲାଗିଛି। ତେଣୁ ଏସବୁର ପରିଚାଳନା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ତଥା ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି।

ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌’ (ଲିଫ୍ଟ, ଏସ୍କାଲେଟର ଓ ଟ୍ରାଭେଲେଟର ଟେକ୍ନୋଲୋଜି) ଉପରେ ତାଲିମ ପାଠ୍ୟକ୍ରମ ଦିଆଯାଉଛି। ୨୦୨୪-୨୫ ଶିକ୍ଷାବର୍ଷର ସେପ୍ଟେମ୍ବର ସେସନରେ ଏହି ପାଠ୍ୟକ୍ରମରେ ନାମଲେଖା ଲାଗି ଅନଲାଇନ ଆବେଦନ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାର ଆଗ୍ରହୀ ଯୁବ ପ୍ରାର୍ଥୀମାନେ ଏହି ବିଷୟରେ ଅଗଷ୍ଟ ୩୦ ତାରିଖ ସୁଦ୍ଧା ଆବେଦନ କରିପାରିବେ।

୨୦୨୩-୨୪ ଶିକ୍ଷାବର୍ଷରେ ବିଶ୍ୱ ଦକ୍ଷତା କେନ୍ଦ୍ରର ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ‘ଭର୍ଟିକାଲ ଟ୍ରାନ୍ସପୋର୍ଟେସନ୍‌’ (ଲିଫ୍ଟ, ଏସ୍କାଲେଟର ଓ ଟ୍ରାଭେଲେଟର ଟେକ୍ନୋଲୋଜି) ନୂତନ ପାଠ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀମାନେ ଯୋଗଦେଇ ତାଲିମ ନେଉଛନ୍ତି। ସିଙ୍ଗାପୁରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ ଏଜୁକେସନର (ଆଇଟିଇ) ତତ୍ତ୍ୱାବଧାନରେ ଏହି ପାଠ୍ୟକ୍ରମର ପରିକଳ୍ପନା କରାଯାଇଛି। ଏହି ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତ ବିଷୟରେ ଆବଶ୍ୟକ ବୈଷୟିକ ଶିକ୍ଷା ଓ ତାଲିମ ଦିଆଯାଉଛି।

ସେହିପରି ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏହି ପାଠ୍ୟକ୍ରମର ଅବଧି ୧ ବର୍ଷ। ଶିଳ୍ପ ତାଲିମ ଓ ବୈଷୟିକ ଶିକ୍ଷାନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ କିମ୍ବା ୩ ବର୍ଷିଆ ପଲିଟେକନିକ୍ କରିଥିବା ଛାତ୍ରଛାତ୍ରୀମାନେ ଏଥିରେ ଆବେଦନ କରିପାରିବେ। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ବିଷୟରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବା ପାଇଁ ଅତ୍ୟାଧୁନିକ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି। ଫଳରେ ଏହା ଏସ୍କାଲେଟର, ଏଲିଭେଟର ଏବଂ ଅନୁରୂପ ଯନ୍ତ୍ରର ସ୍ଥାପନା ଓ କାର୍ଯ୍ୟକାରିତା, ପରିଚାଳନା ଓ ରକ୍ଷଣାବେକ୍ଷଣ ଆଦି ବିଷୟରେ ତାଲିମ ଦେବାରେ ବିଶେଷ ସହାୟକ ହେଉଛି।

ବୈଷୟିକ ପାଠ୍ୟକ୍ରମ ସହିତ ଏଠାରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଯୋଗାଯୋଗ ଦକ୍ଷତା, ବୃତ୍ତିଗତ ବିକାଶ, ଡିଜାଇନ୍ ଥିଙ୍କିଙ୍ଗ୍‌, ଉଦ୍ୟୋଗ ବିକାଶ ଆଦି ବିଷୟକୁ ନେଇ ଜୀବନ କୌଶଳ ତାଲିମ ମଧ୍ୟ ଦିଆଯାଉଛି। ବିଶ୍ୱ ଦକ୍ଷତା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ରହିବା ଲାଗି ହଷ୍ଟେଲ, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ମାଗଣାରେ ଦିଆଯାଉଛି।

ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏବେ ‘ସ୍କୁଲ ଅଫ୍ ଇଞ୍ଜିନିୟରିଂ’ ଓ ‘ସ୍କୁଲ ଅଫ୍ ସର୍ଭିସେସ୍’ ବିଭାଗ ଅଧୀନରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଜାରି ରହିଛି। ପ୍ରାର୍ଥୀମାନେ କେନ୍ଦ୍ରର ୱେବସାଇଟରେ www.worldskillcenter.org ପ୍ରଥମେ ପଞ୍ଜୀକରଣ କରିବା ପରେ ନାମଲେଖା ପାଇଁ ଆବେଦନ କରିପାରିବେ। ନାମଲେଖା ବିଷୟରେ ଅଧିକ ସୂଚନା ପାଇଁ ପ୍ରାର୍ଥୀ ୧୮୦୦ ୨୬୬ ୬୦୦୨ରେ ଯୋଗାଯୋଗ କରିପାରିବେ।