ସରକାରୀ ସ୍କୁଲରେ ପଢିଲେ ଉଚ୍ଚଶିକ୍ଷା ପାଇଁ ଉଚ୍ଚଶିକ୍ଷା ପାଇଁ ମିଳିବ ସିଟ୍, ଲୋକପ୍ରତିନିଧି ଓ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦେବା ବାଧ୍ୟତାମୂଳକ
କେନ୍ୟୁଜ୍(ବ୍ୟୁରୋ):ଫୋକସରେ ଗ୍ରାମାଞ୍ଚଳର ଗରିବ,ମେଧାବୀ ଛାତ୍ରଛାତ୍ରୀ । ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ସେମାନଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ନେଇ ସ୍ଥାନ ସଂରକ୍ଷଣ ରହିବ। ଆଗାମୀ ଶିକ୍ଷା ବର୍ଷଠାରୁ ଏହା ଲାଗୁ ହେବ। ଆଜି ଏ ସଂପର୍କିତ ଏକ ସଂକଳ୍ପ କ୍ୟାବିନେଟରେ ଗୃହୀତ ହୋଇଛି। ଏହି ନିଷ୍ପତ୍ତି ଯୋଗୁଁ ଗ୍ରାମାଞ୍ଚଳର ଗରିବ ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେବେ। ନିଷ୍ପତ୍ତିକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କରାଯିବ ।
ଏହି କମିଟିରେ ଖ୍ୟାତି ସମ୍ପନ୍ନ ଶିକ୍ଷାବିତଙ୍କ ସହ ବିଶିଷ୍ଟ ବ୍ୟକ୍ତି ସଦସ୍ୟ ରହିବେ। କମିଟି ତିନି ମାସରେ ସରକାରଙ୍କୁ ରିପୋର୍ଟ ଦେବେ। କମିଟିର ସୁପାରିଶକୁ ଆଗାମୀ ଶିକ୍ଷା ବର୍ଷରୁ ଲାଗୁ କରାଯିବ। ଡାକ୍ତରୀ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବ ଭାରତୀୟ ସ୍ତରରେ ନିଟ୍ ଓ ଜେଇଇ ପରୀକ୍ଷା ହେଉଛି। ଏହି ଏକକ ପରୀକ୍ଷା ବ୍ୟବସ୍ଥା ଆରମ୍ଭ ପରଠୁ ରାଜ୍ୟର ସରକାରୀ ହାଇସ୍କୁଲ ଓ କଲେଜଗୁଡିକର ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମେଡିକାଲ ଓ ଇଂଜିନିୟରିଂ ପାଠ୍ୟକ୍ରମରେ ହ୍ରାସ ପାଇଛି। କାରଣ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ପିଲାମାନେ ଉପଯୁକ୍ତ କୋଚିଂ ସୁବିଧା ପାଉ ନଥିବାରୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରି ପାରୁ ନାହାନ୍ତି।
ଏସବୁ କାରଣକୁ ଦେଖି, ସରକାର ସଂରକ୍ଷଣ ପାଇଁ ବ୍ୟବସ୍ଥା କରିଛନ୍ତି। ନୂଆ ବ୍ୟବସ୍ଥା ଫଳରେ ସରକାରୀ ସ୍କୁଲରେ ପାଠ ପଢୁଥିବା ଗ୍ରାମାଞ୍ଚଳ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ସୃଷ୍ଟି ହେବ। ଏହାସହ ଅସମତା ଦୂର ହେବା ଦ୍ୱାରା ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ସୁବିଧା ପାଇ ପାରିବେ।.
ନିର୍ବାଚିତ ଲୋକ ପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ପାଇଁ ବାର୍ଷିକ ସମ୍ପତ୍ତି ତାଲିକା ପ୍ରଦାନ ବାଧ୍ୟତାମୂଳକ ହୋଇଛି। ଆଜି କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଛି। ସରପଞ୍ଚଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ସମ୍ପତ୍ତି ତାଲିକା ଦେବେ। କେବଳ ନିର୍ବାଚିତ ଲୋକପ୍ରତିନିଧି ନୁହଁ ଏଣ୍ଟ୍ରି ଲେଭଲରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ପ୍ରତିବର୍ଷ ତାଙ୍କର ସମ୍ପତ୍ତି ତାଲିକା ଦେବେ। ଏ ସବୁ ସମ୍ପତ୍ତି ତାଲିକା ସର୍ବସାଧାରଣଙ୍କ ଆଗରେ ରଖାଯିବ। ଏହା ସହ ସମସ୍ତ ସମ୍ପତ୍ତି ତାଲିକାର ନକଲ ଲୋକାୟୁକ୍ତଙ୍କ ପାଖକୁ ପଠାଯିବ।