ବଢ଼ିଲା ବିବାଦୀୟ ips ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି, ୬୦ ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର : ବଢ଼ିଲା ବିବାଦୀୟ ଆଇପିଏସ୍ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି । ଆଜି ତାଙ୍କର ନିଲମ୍ବନ ଅବଧି ଶେଷ ହେଉଥିବାବେଳେ ଏହାକୁ ଆହୁରି ୬୦ ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଗତକାଲି ତାଙ୍କର ୧୨୦ ଦିନିଆ ନିଲମ୍ବନ ଅବଧି ଶେଷ ହେଉଥିଲା । ଏହାପୂର୍ବରୁ ଗତ ୨୨ ତାରିଖରେ ଏକ ସ୍ବତନ୍ତ୍ର ରିଭ୍ୟୁ କମିଟି ଏହି ନିଲମ୍ବନକୁ ନେଇ ସମୀକ୍ଷା କରିଥିଲେ। ପୂର୍ବରୁ ମଧ୍ୟ ୨ଥର ତାଙ୍କ ନିଲମ୍ବନ ଅବଧି ବୃଦ୍ଧି କରାଯାଇଥିଲା । ଭାରତୀୟ ପୋଲିସ ସେବା ରୁଲ ଉଲ୍ଲଙ୍ଘନ ଅଭିଯୋଗରେ ୨୦୦୭ ବ୍ୟାଚର ଆଇପିଏସ ଅଧିକାରୀ ରାଜେଶ ପଣ୍ଡିତଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ମାମଲାର ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା କମିଟିର ବୈଠକ ହୋଇଥିଲା । ସମୀକ୍ଷା କମିଟି ସମସ୍ତ ଦଲିଲକୁ ଯାଞ୍ଚ କରିବା ପରେ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି ବୃଦ୍ଧି ପାଇଁ ସୁପାରିଶ କରିଥିଲେ । ଏହାପରେ ତାଙ୍କ ନିଲମ୍ବନ ଅବଧିକୁ ଆହୁରି ୬୦ ଦିନ ବୃଦ୍ଧି କରାଯାଇଛି ।
ସୂଚନା ଅନୁସାରେ 2024 ଜୁଲାଇ ୨୭ତାରିଖ ରାତିରେ ଇଓଡବ୍ଲ୍ୟୁରେ କାର୍ଯ୍ୟରତ ଜଣେ ମହିଳା ଇନ୍ସପେକ୍ଟରଙ୍କ ୟୁନିଟ୍-୧ ନମ୍ବରସ୍ଥିତ ସରକାରୀ କ୍ୱାର୍ଟର୍ସକୁ ଯାଇଥିଲେ। ସେଠାରେ ମହିଳା ପୋଲିସ ଅଧିକାରୀଙ୍କ ସ୍ୱାମୀଙ୍କ ସହ ରାଜେଶପଣ୍ଡିତଙ୍କ ବଚସା ହୋଇଥିଲା । ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ସମ୍ପୃକ୍ତ ମହିଳା ଇନ୍ସପେକ୍ଟରଙ୍କ ଭାଇ ପିସିଆରକୁ ରାତି ପ୍ରାୟ ୯ଟା ୧୭ମିନିଟରେ କଲ୍ କରିଥିଲେ। ଏସଆଇ ପାହ୍ୟାର ଦୁଇଜଣ ପୋଲିସ ଅଧିକାରୀ ପହଂଚି ସମ୍ପୃକ୍ତ ଆଇପିଏସ୍ ଅଫିସର ଶ୍ରୀ ଉତ୍ତମରାଓଙ୍କୁ ବୁଝାସୁଝା କରି ସେଠାରୁ ପଠାଇଥିଲେ।
ଏହାପରେ କ୍ୟାପିଟାଲ ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା ଜୁଲାଇ ୨୯ତାରିଖରେ ଏକ ଗୁପ୍ତ ରିପୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ପଠାଇଥିଲେ । ସେଥିରେ ଘଟଣା ସମ୍ପର୍କରେ ବିସ୍ତୃତ ଉଲ୍ଲେଖ କରିଥିଲେ । ଆଉ ସେହି ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାକୁ ଗୁରୁତ୍ୱର ସହ ନେଇ ଆଇପିଏସ୍ ଶ୍ରୀ ଉତ୍ତମରାଓଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ । ସେ ହୋମଗାର୍ଡ ଓ ଅଗ୍ନିଶମ ଡିଆଇଜି ଭାବେ କାର୍ଯ୍ୟ କରୁଥିଲେ ।
ଆହୁରି ପଢନ୍ତୁ : ଓଡ଼ିଶା ହେବ ଭାରତ ବର୍ଷର ଶ୍ରେଷ୍ଠ ନିବେଶ କ୍ଷେତ୍ର, ପ୍ରଧାନମନ୍ତ୍ରୀ ୨୮ରେ କନକ୍ଲେଭର କରିବେ ଉଦଘାଟନ