୨୦୧୯ ଜାନୁଆରୀରୁ ମାର୍ଚ୍ଚ ୩୧। ୩ ମାସରେ ରାଜ୍ୟରେ ୫୦୨ ଜଣ ବାଳିକା ନିଖୋଜ। ବିଡମ୍ବନା, ସେଥିରୁ ମାତ୍ର ୭୯ ଜଣଙ୍କ ସନ୍ଧାନ ମିଳିଛି। ବିଧାନସଭାରେ ଶନିବାର ଏହି ଲିଖିତ ଉତ୍ତର ରଖିଥିଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ। ମନ୍ତ୍ରୀଙ୍କ ଉତ୍ତର ଏବେ ସରକାରଙ୍କୁ ଅଡୁଆ ଭିତରକୁ ଠେଲି ଦେଇଛି। ବିଜେପି ଓ କଂଗ୍ରେସ ଏକାଠି ହୋଇ ସରକାରଙ୍କୁ ଘେରିଛନ୍ତି। ଏ ପ୍ରସଙ୍ଗରେ ଆଲୋଚନା ଦାବିରେ ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ। ଏଥିଯୋଗୁଁ ବାରମ୍ବାର ଗୃହ ମୁଲତବୀ ହୋଇଥିଲା।
ରକ୍ଷକ ଏଠି ଭକ୍ଷକ ସାଜିଛି
ଅନୁଗୋଳ ଓ କଳାହାଣ୍ଡିରେ ନାବାଳିକାଙ୍କୁ ଅସଦାଚରଣ କଥା ଉଠାଇ ସରକାରଙ୍କୁ ଟାର୍ଗେଟ କରିଥିଲେ ବିରୋଧୀ। ସେପଟେ ସରକାରୀ ଦଳ କହିଛି, ଏପରି ଘଟଣା ଏକ ସାମାଜିକ ବ୍ୟାଧି ଓ ଚିନ୍ତାଜନକ। କିନ୍ତୁ ବାଚସ୍ପତି ସରକାରଙ୍କୁ ଜବାବ ରଖିବା ପାଇଁ ରୁଲିଂ ଦେବା ପରେ ବିରୋଧୀ ଗୃହରେ ଅଚଳାବସ୍ଥା ସୃଷ୍ଟି କରିବା ଉଚିତ ନୁହେଁ।
ପୂର୍ବରୁ ମନ୍ତ୍ରୀ ନିରଂଜନ ପୂଜାରୀଙ୍କୁ ନେଇ ଅଡୁଆରେ ପଡ଼ିଥିଲେ ସରକାର। ପୂର୍ବତନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବାବଦରେ ଟିପ୍ପଣୀ ଦେଇ ସରକାରଙ୍କୁ ବିବାଦ ଭିତରକୁ ଠେଲି ଦେଇଥିଲେ। ଏବେ ନାବାଳିକା ନିଖୋଜ ଘଟଣାରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଉତ୍ତର ସରକାରଙ୍କୁ ହରଡଘଣା ଭିତରକୁ ଠେଲି ଦେଇଛି।