ପୋଲାଭରମ ପ୍ରସଙ୍ଗରେ ତାତିଲା ବିଧାନସଭା … ପ୍ରଶ୍ନକାଳ ଓ ଶୂନ୍ୟକାଳରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ
ପୋଲାଭରମ ପ୍ରସଙ୍ଗରେ ତାତିଲା ବିଧାନସଭା । ଆଲୋଚନା ଦାବିରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ । ରାଜ୍ଯର ସ୍ୱାର୍ଥ ପ୍ରସଙ୍ଗରେ ଡବଲ ଇଞ୍ଜିନ ସରକାର ନିରବ କାହିଁକି । ପୋଲାଭରମ ଯୋଗୁ ଓଡ଼ିଶା ବୁଡୁଛି,ଆନ୍ଧ୍ର ହସୁଛି ଶୀର୍ଷକରେ ଏକ ମୁଲତବୀ ନୋଟିସ ଆଣିଥିଲା କଂଗ୍ରେସ । ଏହାକୁ ଗ୍ରହଣ ନ କରିବାରୁ କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିଥିଲେ ।
ଅଚଳାବସ୍ଥା ଯୋଗୁ ପ୍ରଶ୍ନକାଳ ଚାଲିପାରିନଥିବା ବେଳେ ପ୍ରଥମେ ସାଢେ ଏଗାରଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିଥିଲେ ବାଚସ୍ପତି । ପରେ ଗୃହରେ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଉଭୟ ବିଜେଡି ଓ କଂଗ୍ରେସ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଏହା ଭିତରେ ବାଚସ୍ପତି ଗୃହରେ ବିବୃତି ରଖିଥିଲେ। ମାମଲା ସୁପ୍ରିମକୋର୍ଟରେ ଥିବାରୁ ବିଧାନସଭାର ବିଧିବ୍ୟବସ୍ଥା ଅନୁସାରେ ପୋଲାଭରମ ପ୍ରସଙ୍ଗରେ ଆଲୋଚନା କରାଯାଇ ପାରିବ ନାହିଁ।
ଏହା ପରେ ବିରୋଧୀ ଆହୁରି ତାତିଥିଲେ । ପ୍ରବଳ ହଟ୍ଟଗୋଳ ଯୋଗୁ ବାଚସ୍ପତି ଅପରାହ୍ଣ ୪ଟା ଯାଏ ଗୃହକୁ ମୁଲତବୀ ରଖିଥିଲେ । ବିଜେଡି କହିଛି,ନ୍ୟାୟପାଳିକାର ବାହାନା ନେଇ ଆଲୋଚନାରୁ ଦୂରେଇ ରହିବାକୁ ପ୍ରୟାସ କରିଛି ଶାସକ ଦଳ। ପୋଲାଭରମ ପାଇଁ ଓଡ଼ିଶାର ଅନେକ ଗାଁ ଜଳମଗ୍ନ ହେବ ।
ପୂର୍ବ ସରକାର ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ନିକଟରେ ଅନେକ ଥର ପ୍ରତିବାଦ କରିଛନ୍ତି। ଡବଲ ଇଞ୍ଜିନ୍ ସରକାର ଓଡ଼ିଶାର ସ୍ୱାର୍ଥକୁ କାହିଁକି ଅଣଦେଖା କରୁଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ସେପଟେ କଂଗ୍ରେସ କହିଛି, ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ଅନୁଦାନ ଦେଉଛି। କିନ୍ତୁ ଓଡ଼ିଶାର ସମସ୍ୟା ପାଇଁ କେନ୍ଦ୍ର ଓ ରାଜ୍ଯ ସରକାର କଣ ପାଇଁ ନିରବ ବୋଲି କଂଗ୍ରେସ କହିଛି ।