ରାଜ୍ୟ ସରକାରଙ୍କୁ ବିରୋଧୀ ଦଳ ନେତା ନବୀନଙ୍କ ଟାର୍ଗେଟ, ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ଅତ୍ୟନ୍ତ ଚିନ୍ତାଜନକ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଟାର୍ଗେଟ । ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କିଛି ଦିନ ମଧ୍ୟରେ ବାଲେଶ୍ଵର ସମେତ ଅନେକ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଘଟିଛି ।
ଶାନ୍ତି ପାଇଁ ଓଡ଼ିଶା ପରିଚିତ । ଏହାକୁ ବଜାୟ ରଖିବା ଦରକାର ବୋଲି ସେ କହିଛନ୍ତି । ରଥ ଯାତ୍ରାରେ ଅବ୍ୟବସ୍ଥା, ଆଡ଼ପ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ତଳେ ପଡିବା କୋଟି କୋଟି ଓଡ଼ିଆଙ୍କୁ ଆଘାତ ଦେଇଛି । ଚିକିଟିରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ଚିନ୍ତାର ବିଷୟ ପାଲଟିଛି ବେଆଇନ ମଦ କାରବାର ବନ୍ଦ ହେବା ଦରକାର ବୋଲି କହିଛନ୍ତି ନବୀନ ।
ରାଜ୍ୟପାଳଙ୍କ ପୁଅ ସରକାରୀ ଅଫିସର ଙ୍କୁ ମାଡ଼ ମାରିବା ଘଟଣା ବି ଉଠାଇଛନ୍ତି । ରାଜ୍ଯପାଳ,ମନ୍ତ୍ରୀ, ବିଧାୟକଙ୍କ ପୁଅ କଣ ଆଇନ ଠାରୁ ଉର୍ଦ୍ଧ୍ବରେ କି ବୋଲି ପ୍ରଶ୍ନ କରିଛନ୍ତି । ମୋ ସରକାର ସମୟରେ ଆଇନ ତା ବାଟରେ ଯାଉଥିଲା ବୋଲି କହିଛନ୍ତି ନବୀନ। ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା ଅତ୍ୟନ୍ତ ଗୁରୁତର ଏବଂ ଚିନ୍ତାଜନକ । ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ଜୋର ଦେଇଛନ୍ତି ବିରୋଧୀ ଦଳ ନେତା ।