ଗଞ୍ଜାମ: ଓଡ଼ିଶାରେ ବିଭିନ୍ନ ପ୍ରକାରର ଫୁଲ ଚାଷ କରାଯାଏ । ପୁରୁଷଙ୍କ ଠାରୁ ମହିଳା ପର୍ଯ୍ୟନ୍ତ ସମସ୍ତେ ଚାଷବାସ କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ଏହାରି ଭିତରେ ଓଡ଼ିଶାରେ ଚାଷ ହେଉଥିବା ଫୁଲ ମଧ୍ୟରେ ଭିନ୍ନ ସ୍ଥାନ ହାସଲ କରିଛି ଅର୍କିଡ୍ । ଅର୍କିଡ ଫୁଲର ଦାମ ଅଧିକ ଥିବାବେଳେ ଏହା ଏବେ ଓଡ଼ିଶାରେ ଚାଷ କରାଯାଉଛି । ଫଳରେ ଲାଭବାନ ହେଉଛନ୍ତି ମହିଳା ଚାଷୀ । ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଳକର ରାମଗଡ଼ ପଞ୍ଚାୟତର ଗଜପତିନଗର ଠାରେ ଦୁଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ କରିଛନ୍ତି ଅର୍କିଡ୍ ଫୁଲ ଚାଷ । ଗତ ଦେଢ଼ ବର୍ଷ ହେଲା ସେମାନେ ଏହି ଫୁଲ ଚାଷ ଆରମ୍ଭ କରିଛନ୍ତି ।
ବାହାଘର ହେଉ ଅଥବା ବ୍ରତ ଘର ହେଉ ଅବା କୌଣସି ସଭା ସମିତି ସବୁଠାରେ ବ୍ୟବହାର ହୋଇଥାଏ ଅର୍କିଡ୍ ଫୁଲ । ଆଉ ଏହି ଫୁଲ ଯେତେ ଦାମିକିଆ ସେତେ ଦିନ ପର୍ଯ୍ୟନ୍ତ ସତେଜ ମଧ୍ୟ ରହିଥାଏ । ତେଣୁ ଏହି ଚାଷ କରିବାକୁ ପ୍ରାୟ ସମସ୍ତେ ଭଲ ପାଇଥାନ୍ତି । ଏନେଇ ହରପାର୍ବତି ଓ ହରିଜନ ମତ୍ସ୍ୟଜୀବୀ ନାମକ ଦୁଇଟି ସ୍ବୟଂ ସହାୟକ ଗୋଷ୍ଠୀ ଏହି ଫୁଲ ଚାଷ କରି ବେଶ ରୋଜଗାରକ୍ଷମ ହୋଇ ପାରିଛନ୍ତି । ଏହି ଦୁଇଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପ୍ରତିଦିନ ୬ ରୁ ୭ ଘଣ୍ଟା ଧରି ଗଛର ଯତ୍ନ ନେଉଥିବା ବେଳେ ପ୍ରତି ସପ୍ତାହକୁ ଥରେ ବଗିଚାରୁ ଫୁଲ ବାହାରୁଛି । ବଗିଚାରୁ ବାହାରୁଥିବା ଅର୍କିଡ୍ ଫୁଲକୁ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ବ୍ଳକ ସମେତ ଭୁବନେଶ୍ବର ଓ ରାଉରକେଲାକୁ ପଠାଉଛନ୍ତି । ଆଗାମୀ ଦିନରେ ଫୁଲ ଆହୁରି ଅଧିକ ବାହାରିଲେ ରାଜ୍ୟ ବାହାରକୁ ପଠାଇବା ପାଇଁ ମହିଳାମାନେ ଯୋଜନା ରଖିଛନ୍ତି ।
ଅଧ ଏକର ଜମିରେ ଦୁଇଟି ଫୁଲ ବଗିଚା ନିର୍ମାଣ କରି ମହିଳାମାନେ ଅର୍କିଡ୍ ଫୁଲ ଚାଷ କରୁଛନ୍ତି । ଅର୍କିଡ୍ ଫୁଲ ଚାଷ ପାଇଁ ଗଛର ଚାରା ଥାଇଲାଣ୍ଡରୁ ଆସିଥିବା ବେଳେ ସ୍ଥାନୀୟ ବଜାରରୁ ନଡ଼ିଆ କତା ଆଣି ଗଛ ପ୍ରସ୍ତୁତ କରାଯାଉଛି । ଏକ ମାସ ମଧ୍ୟରେ ୯୨ ହଜାର ଟଙ୍କାର ଫୁଲ ବିକ୍ରି କରି ଲାଭ ବାନ ହୋଇଛନ୍ତି ଏମାନେ ।
ଗଞ୍ଜାମ ବ୍ଳକର ବିପିଏମ ଅଫିସର ମହିଳା ମାନଙ୍କୁ ଅର୍କିଡ୍ ଫୁଲ ଚାଷ କରିବା ପାଇଁ ସହାୟତାର ହାତ ବଢ଼ାଇଥିଲେ । ପ୍ରତିମାସରେ ଏକ ଲକ୍ଷରୁ ଅଧିକ ଫୁଲ ବିକ୍ରି ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହି ଅର୍କିଡ୍ ଫୁଲ ଚାଷ ଦ୍ବାରା ବାର୍ଷିକ ୧୨ ଲକ୍ଷ ୧୫ ଲକ୍ଷ ଟଙ୍କାର ଲାଭ ମଧ୍ୟ ହୋଇପାରିବ ।
ଫୁଲ ବିକ୍ରି କରି ଯେଉଁ ଟଙ୍କା ମିଳିବ ତାକୁ ଧିରେ ଧିରେ କରି ଋଣ ପରିଷଧ କରିବା ସହିତ କିଛି ଅର୍ଥକୁ ମହିଳାମାନେ ନିଜ ଭିତରେ ଭାଗବାଣ୍ଟ କରିନେବେ । ପରେ ଫୁଲ ଚାଷକୁ ଆହୁରି ଆଗକୁ ବଢ଼ାଇବେ ବୋଲି ମହିଳାମାନେ କହିଛନ୍ତି ।