୭ ଘଣ୍ଟା ପରେ ସରିଲା ରତ୍ନ ଭଣ୍ଡାର ଅଳଙ୍କାର ସ୍ଥାନାନ୍ତର, ସାପ ଓ ସୁଡ଼ଙ୍ଗ ଗୁଜବ ବୋଲି କହିଲେ କମିଟି ଅଧ୍ୟକ୍ଷ

କେନ୍ୟୁଜ (ବ୍ୟୁରୋ) : ଆଜି ମାହେନ୍ଦ୍ର ବେଳାରେ ମହାପ୍ରଭୁଙ୍କ ଭିତର ରତ୍ନଭଣ୍ଡାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି । କାମ ସମ୍ପୂର୍ଣ୍ଣ ପାଇଁ ପ୍ରାୟ ସାଢ଼େ ୭ ଘଣ୍ଟା ସମୟ ଲାଗିଛି । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ଗୁରୁବାର ସନ୍ଧ୍ୟାରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଛନ୍ତି । ଓଡ଼ିଶାବାସୀଙ୍କର ଯେଉଁ ଆଶା ଓ ଆଶଙ୍କା ଥିଲା ତାହା ଦୂର ହୋଇଛି । ସବୁ ଅଳଙ୍କାର ସୁରକ୍ଷିତ ରହିଛି । ଏହାକୁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ସ୍ଥାନାନ୍ତର କରାଯାଇଛି।
ଜଷ୍ଟିସ ବିଶ୍ବନାଥ ରଥ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସମସ୍ତେ ଭିତରକୁ ପ୍ରବେଶ କରିଥିଲୁ । ମା ବିମଳା, ମା ଲକ୍ଷ୍ମୀଙ୍କ ସହ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କରିବା ପରେ ପାରମ୍ପରିକ ଧୋତି ଗାମୁଛା ପରିଧାନ କରି ସମସ୍ତ ସଦସ୍ୟ ଏବଂ ଶୁଭ ମୁହୂର୍ତ୍ତ ଦିନ ୯ଟା ୫୧ ମିନିଟ୍ ସମୟରେ ଭଣ୍ଡାରକୁ ପ୍ରବେଶ କରିଥିଲୁ। ଭିତର ରତ୍ନଭଣ୍ଡାରରେ ୩ଟି କାଠ ଆଲମିରା, ଗୋଟିଏ ଷ୍ଟିଲ ଆଲମିରା ସହ ୩ଟି ସିନ୍ଦୁକ ମଧ୍ୟ ଥିଲା । ୩ ସିନ୍ଦୁକ ମଧ୍ୟରୁ ୨ ଟି କାଠ ଓ ଗୋଟିଏ ଲୁହା ସିନ୍ଦୁକ ଥିବା ଦେଖା ଯାଇଥିଲା । ରାଜ୍ୟ ସରକାରଙ୍କ ଏସ୍ଓପି ଅନୁଯାୟୀ ରତ୍ନଭଣ୍ଡାର ସମସ୍ତ କାର୍ଯ୍ୟ ହୋଇଛି । ତେବେ ରତ୍ନ ଭଣ୍ଡାରରେ କଣ ଅଛି ସେ ସମ୍ପର୍କରେ ତୁଣ୍ଡ ଖୋଲାଯିବ ନାହିଁ ବୋଲି କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ ।
ସେହିପରି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି, ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ଭିତର ରତ୍ନଭଣ୍ଡାରକୁ ପ୍ରବେଶ କରିଥିଲୁ । ଭିତର ରତ୍ନଭଣ୍ଡାରରୁ ଅସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତରଣ ପ୍ରକ୍ରିୟା ସରିଛି । ତେବେ କୌଣସି ଗୁପ୍ତ ସୁଢ଼ଙ୍ଗ ନାହିଁ । ତଥାପି ଲେଜର ସ୍କାନିଂ ପାଇଁ ସରକାରଙ୍କୁ କୁହାଯିବ ବୋଲି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ । ମନ୍ଦିର ପରିସରେ ସାପ ନେଇ ଯେଉଁ ସନ୍ଦେହ ସୃଷ୍ଟି ହୋଇଥିଲା, ସେସବୁ ଗୁଜ ବୋଲି କୁହାଯାଇଛି ।
ଗଜପତି ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ଯାଇ ରତ୍ନ ଭଣ୍ଡାର କାର୍ଯ୍ୟର ତଦାରଖ କରିଥିଲେ l ପରମ୍ପରା ଅନୁଯାୟୀ ଗଜପତି ଦକ୍ଷିଣ ଦ୍ୱାରଦେଇ ଯିବ ସହ ରତ୍ନ ଭଣ୍ଡାର ବୁଲି ଦେଖିବା ସହ ଏହାର ମରାମତି ନିହାତି ହେବା ଆବଶ୍ୟକ ବୋଲି ମାତରଖିଥିଲେ l ଏ ଏସ ଆଇ ଶ୍ରୀମନ୍ଦିର ଦାୟିତ୍ୱ ନେବା ପରଠାରୁ ବାହାର କିମ୍ବା ଭିତର ରତ୍ନଭଣ୍ଡାରର ମରାମତି କରି ନଥିବାରୁ ଏହାର ମରାମତି କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇଥିଲେ ଗଜପତି l ସେହିପରି ଭଣ୍ଡାର ଘର ସମ୍ପର୍କରେ ସୁଡ଼ଙ୍ଗ ଥିବା କିମ୍ୱା ଏକାଧିକ ଭୁତଳ ଘର ଥିବା ଆଲୋଚନା ହେଉଥିବାରୁ ଏହାର ସମ୍ପୂର୍ଣ ଯାଞ୍ଚ କରାଯାଇ ଏହାର ଲେଜର ସ୍କାନିଂ କରିବା ଆବଶ୍ୟକ ବୋଲି କହିଥିଲେ ଗଜପତି l