ଆଜିଠୁ ଶ୍ରୀଜିଉଙ୍କୁ ଓଷ ଲାଗି, ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହେଉଛନ୍ତି ମହାପ୍ରଭୁ

ପୁରୀ : ଜ୍ବରରେ କମ୍ପୁଛନ୍ତି ଶ୍ରୀଜିଉ । ଅଣସର ଘରେ ଚାଲିଛି ମହାପ୍ରଭୁଙ୍କ ଉପଚାର । ଗତକାଲି ଫୁଲୁରୀ ତେଲ ଲାଗି ପରେ ସାମାନ୍ୟ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଆଜିଠୁ ନବମୀ ତିଥି ପର୍ଯ୍ୟନ୍ତ ଓଷ ଲାଗି ହେବାର ଵିଧି ରହିଛି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ଜ୍ୱରରେ ପୀଡିତ ଅଛନ୍ତି ମହାପ୍ରଭୁ । ଗୁପ୍ତ ଚିକିତ୍ସା କରୁଛନ୍ତି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଦଇତାପତି ସେବାୟତ । ଆଜି ମଧ୍ୟାହ୍ନ ଧୂପ ପରେ ସୁଦ୍ଧଶୁଆର ମାନେ ପ୍ରସ୍ତୁତ କରିଥିବା ଝୁଣା, ତେଲ ଓ ବିଭିନ୍ନ ଚେର ମୂଳିରେ ପ୍ରସ୍ତୁତ ଔଷଧକୁ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଅଙ୍ଗରେ ଲଗାଇବେ। ଆଜିଠୁ ତିନିଦିନ ଧରି ମହାପ୍ରଭୁଙ୍କୁ ଓଷ ଲାଗି କରାଯିବ । ଷଷ୍ଠୀ ଠାରୁ ନବମୀ ତିଥି ପର୍ଯ୍ୟନ୍ତ ଏହି ଔଷଧ ଲାଗି କରାଯିବ। ଫଳରେ କିଛି ମାତ୍ରାରେ ଶ୍ରୀଜୀଉ ଜ୍ୱରରୁ ଉପଶମ ପାଇବେ। ଦଶମୀ ଦିନ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଖାଇବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବେ ।

ପରମ୍ପରା ଅନୁଯାୟୀ, ଗତକାଲି ଅନବସର ପଞ୍ଚମୀ ତିଥିରେ ଅଣସରରେ ଥିବା ଶ୍ରୀବିଗ୍ରହମାନଙ୍କୁ ଜଡିବୁଟିଯୁକ୍ତ ଔଷଧୀୟ ଫୁଲୁରି ତେଲ ଲାଗି ହୋଇଛି । ପରେ ଶ୍ରୀଜିଉ ଧୀରେ ଧୀରେ ସୁସ୍ଥ ହେବେ । ଏନେଇ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ବତନ୍ତ୍ର ଶୈଳୀରେ ଫୁଲୁରି ତେଲ ପ୍ରସ୍ତୁତ ହୋଇଥିଲା । ଗତକାଲି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ପରମ୍ପରା ମୁତାବକ ବଡ ଓଡ଼ିଆ ମଠକୁ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇଥିଲା । ଏହାପରେ ବଡ଼ ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ଶୋଭାଯାତ୍ରାରେ ଫୁଲୁରି ତେଲକୁ ଶ୍ରୀମନ୍ଦିରକୁ ବିଜେ କରିଥିଲେ । ଶ୍ରୀଜିଉଙ୍କ ପାଇଁ ୩ଟି ମାଟି ଘଡ଼ିରେ ଫୁଲୁରି ତେଲ ବିଜେ କରାଯାଇଥିଲା । ଜ୍ବର ପୀଡ଼ିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଦରଜ ଭାଙ୍ଗିବା ପାଇଁ ତୈଳ ମର୍ଦ୍ଦନର ଏହି ପରମ୍ପରା ରହି ଆସିଛି । ସେହିପରି ମହାପ୍ରଭୁଙ୍କୁ ଲାଗି ହେଉଥିବା ଫୁଲୁରି‌ ତେଲର ପ୍ରସ୍ତୁତି ଶୈଳୀ ସମ୍ପୂର୍ଣ୍ଣ ସ୍ଵତନ୍ତ୍ର । ତିନି ଘଡ଼ିରେ ଘଣା ପେଡ଼଼ା ରାଶି ତେଲ ସହିତ କୃଷ୍ଣଭୋଗ ଧାନ, ବେଣା ଚେର, ଚନ୍ଦନ କାଠ, କେତକୀ, ଚମ୍ପା, ବଉଳ, ମାଳତୀ, ମଲ୍ଲୀ, ଜୁଇ, ଜାଇ ଆଦି ଫୁଲର ମିଶ୍ରଣ କରଯାଇଥାଏ । ଏହି ମିଶ୍ରଣ ପ୍ରସ୍ତୁତ କରିବା ପାଇଁ ବଡ଼ ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ସ୍ବତନ୍ତ୍ର ପଦ୍ଧତି ଅନୁସରଣ କରିଥାନ୍ତି । ଯାହା ଆଜି ପର୍ଯ୍ୟନ୍ତ ଗୁପ୍ତ ରଖାଯାଇଛି ।

 

 

ଆହୁରି ପଢ଼ନ୍ତୁ : ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ, ଆଜି ଫୁଲୁରି ତେଲ ଆସିବା ପରେ ଲାଗିହେବ ଶ୍ରୀଅଙ୍ଗରେ