ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି : ଆଜି ଶେଷ ହେବ ଓଷଲାଗି

ପୁରୀ : ଧୀରେଧୀରେ ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିରରେ ଅଣସରରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଫୁଲୁରୀ ତେଲ ଲାଗି ପରେ ପାରମ୍ପରିକ ଭାବେ ଓଷ ଲାଗି କରାଯାଉଛି । ଆଜି ଓଷ ଲାଗି ଶେଷ ହେବ । ଝୁଣା ଓ ରାଶିତେଲରେ ତିଆରି ଏକ ସ୍ୱତନ୍ତ୍ର ପ୍ରଲେପ ଶ୍ରୀବିଗ୍ରହରେ ଲାଗି କରାଯାଏ । ଏହାକୁ କୁହାଯାଏ ଓଷଲାଗି । ୩ ଦିନ ଧରି ଏହି ଓଷଲାଗି ଚାଲିଥିଲା । ଆସନ୍ତା ଦଶମୀ ତିଥିରେ ଦଶମୂଳ ମୋଦକ ପ୍ରସ୍ତୁତ କରିବେ ରାଜବୈଦ୍ୟ । ଏହି ମୋଦକ ଲାଗି ପରେ ମହାପ୍ରଭୁ ସୁସ୍ଥ ହୋଇଥାଆନ୍ତି । ସେହିପରି ଆସନ୍ତାକାଲି ଚକାବିଜେ ରହିଛି । ସ୍ନାନପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ଯୋଗୁ ମହାପ୍ରଭୁ ଜ୍ୱରରେ ପୀଡ଼ିତ ହୋଇଥିଲେ । ଏହାପରେ ଅଣସରରେ ମହାପ୍ରଭୁ ଥିବା ବେଳେ ତାଙ୍କର ଗୁପ୍ତ ସେବା ଚାଲିଛି । ଫୁଲୁରୀ ତେଲ ଲାଗି ପରେ ଜ୍ୱର ଧୀରେ ଧୀରେ କମୁଛି । ସେପଟେ ରଥଯାତ୍ରା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ଘୋଷଯାତ୍ରାକୁ ଆଉ ଦିନ କେଇଟା ବାକି ଥିବାରୁ ଜୋରସୋରରେ କାମ ଚାଲିଛି ।