ଓଟିଭିକୁ ଆଇନର ଛାଟ, କିଟ୍ କୁ ବଦନାମ କଲା ଭଳି ଖବର ପ୍ରସାରଣ କରି ପାରିବ ନାହିଁ ଓଟିଭି ଏବଂ ଏହାର ପୋର୍ଟାଲ ଓଡିଶା ରିପୋର୍ଟର

ଓଟିଭିକୁ ଆଇନର ଛାଟ । କିଟ୍ କୁ ବିରୋଧରେ ଅପମାନ ଜନକ ଓ ବଦନାମ କଲା ଭଳି ଖବର ପ୍ରସାରଣ କରି ପାରିବ ନାହିଁ ଓଟିଭି ଏବଂ ଏହାର ପୋର୍ଟାଲ ଓଡିଶା ରିପୋର୍ଟର। ଏଭଳି ଲଗାମ ଲଗାଇଛନ୍ତି କଟକ ସିନିୟର ସିଭିଲ ଜଜ୍ କୋର୍ଟ। କିଟରେ ଏମବିଏ ପଢ଼ୁଥିବା କଟକର ଜଣେ ଛାତ୍ରଙ୍କ ଅଭିଭାବକ କରିଥିବା ସିଭିଲ ସୁଟର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  ମାମଲାରେ ଦର୍ଶାଯାଇଛି ଯେ, ଜନୈକା ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ପରେ କିଟକୁ ବଦନାମ କରି ଓଟିଭି ଏବଂ ଓଡିଶା ରିପୋର୍ଟର ଅନେକ ଉଦ୍ଦେଶ୍ୟମୂଳକ ଖବର ପ୍ରସାରଣ କରି ଆସୁଛନ୍ତି ।

ଫଳରେ କିଟରେ ଏମବିଏ ଦ୍ୱିତୀୟ ବର୍ଷରେ ପଢ଼ୁଥିବା ତାଙ୍କ ପୁଅ ମାନସିକ ଚାପରେ ରହିବା ସହିତ ହଷ୍ଟେଲ ଛାଡି ଦେବାକୁ ସ୍ଥିର କରିଛି। କିଟରେ ପଢ଼ୁଥିବା ଅନେକ ଛାତ୍ରଛାତ୍ରୀ ମଧ୍ୟ ଅଧାରୁ ପଢା ଛାଡିବା ପାଇଁ ମନସ୍ଥ କରିଛନ୍ତି। ତାଙ୍କ ପୁଅ ଜଣେ ମେଧାବୀ ଛାତ୍ର ।ତାର ଶିକ୍ଷାଗ୍ରହଣ ଅଧାରେ ରହୁଥିବା ବେଳେ ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିଛି । ନିଜ ପୁଅ ଉପରେ ଆସିଥିବା ମାନସିକ ଆଘାତ ପାଇଁ ଓଟିଭି କର୍ତ୍ତୃପକ୍ଷ ୧ କୋଟି ଟଙ୍କାର କ୍ଷତିପୂରଣ ଦେବା ପାଇଁ ସେ ଆବେଦନରେ ଦର୍ଶାଇଛନ୍ତି।  ମାମଲାକୁ ବିଚାର ପାଇଁ ଗ୍ରହଣ କରି ଏହି ମାମଲାରେ ଓଟିଭିର ପରିଚାଳନା ନିର୍ଦ୍ଦେଶିକା, ସମ୍ପାଦକ ଏବଂ ଖବର ଉପସ୍ଥାପନ କରୁଥିବା ରିପୋର୍ଟରମାନଙ୍କୁ ପକ୍ଷଭୁକ୍ତ କରାଯାଇଛି ।

ସମସ୍ତ ପକ୍ଷଙ୍କୁ ଜବାବ ରଖିବା ପାଇଁ କଟକ ସିନିୟର ସିଭିଲ ଜଜ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଏପ୍ରିଲ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।  ଏହା ସହିତ ଓଟିଭି ଓ ସୋସିଆଲ ମିଡିଆରେ କିଟ ବିରୁଦ୍ଧରେ ଚାଲିଥିବା ଅପପ୍ରଚାରକୁ ତୁରନ୍ତ ବନ୍ଦ କରିବା ପାଇଁ ଆବେଦନକାରିଣୀ ଏକ ଇଣ୍ଟରିମ ଆପ୍ଲିକେସନ ଦେଇଛନ୍ତି । ଯାହାକୁ ମଧ୍ୟ ଗ୍ରହଣ କରିଛନ୍ତି କୋର୍ଟ। କିଟକୁ ବଦନାମ କଲା ଭଳି ଖବର ଇଲେକ୍ଟ୍ରୋନିକ୍ସ ଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରକାଶ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ସିନିୟର ସିଭିଲ ଜଜ। ଆସନ୍ତା ମାର୍ଚ୍ଚ ୧୮ ତାରିଖରେ ଏହି ଇଣ୍ଟରିମ ଆପ୍ଲିକେସନର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ପ୍ରତିପକ୍ଷ ଉପସ୍ଥିତ ହୋଇ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।