ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ମିଳିଲା ‘ଆଉଟଷ୍ଟାଣ୍ଡିଂ ଗ୍ରୀନ୍ ଆକ୍ଟିଭିଷ୍ଟ’ ସମ୍ମାନ
କେନ୍ୟୁଜ୍(ବ୍ୟୁରୋ): ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ଆଉଟଷ୍ଟାଣ୍ଡିଂ ଗ୍ରୀନ୍ ଆକ୍ଟିଭିଷ୍ଟ ସମ୍ମାନ। ଇଣ୍ଡିଆନ ଫେଡେରେସନ ଅଫ ଗ୍ରୀନ ଏନର୍ଜୀ(IFGE) ପକ୍ଷରୁ ଡ.ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସୋମବାର ନୂଆଦିଲ୍ଲୀଠାରେ IFGE ପକ୍ଷରୁ ଅନୁଷ୍ଠିତ ହୋଇଥିଲା ଦ୍ୱିତୀୟ ଗ୍ରୀନ୍ ଏନର୍ଜୀ ପୁରସ୍କାର ସମାରୋହ-୨୦୧୯। ଏଠାରେ ଡ.ସାମନ୍ତଙ୍କୁ କେନ୍ଦ୍ର ପରିବହନ, ଜାତୀୟ ରାଜପଥ ଓ ଜାହାଜ ଚଳାଚଳ ମନ୍ତ୍ରୀ ନୀତିନ ଗଡ଼କରି ଏହି ସମ୍ମାନ ପ୍ରଦାନ କରିଥିଲେ। କିଟ୍ ଓ କିସ୍ରେ ସବୁଜ ଇନ୍ଧନ ଯଥା ସୌରଶକ୍ତି ଇନ୍ଧନ ଓ ଜୈବ ଇନ୍ଧନ ବ୍ୟବହାର କରିବା ସହ ସବୁଜ ଇନ୍ଧନ ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରିବା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଡ.ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହାବାଦ୍ କିଟ୍ ଓ କିସ୍ ସମେତ ସମଗ୍ର ଭାରତରେ ସବୁଜ ବଳୟ ସୃଷ୍ଟି ପାଇଁ ଡ.ସାମନ୍ତ ଗୋ-ଗ୍ରୀନ୍ ଅଭିଯାନ ଆରମ୍ଭ କରିଛନ୍ତି ।
ଏହି ଅଭିଯାନରେ ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯିବା ସହ ବୃକ୍ଷ ରୋପଣ ପାଇଁ ସଚେତନତା ସୃଷ୍ଟି କରାଯାଉଛି। ପୁରସ୍କାର ପାଇବା ପରେ ଡ.ସାମନ୍ତ IFGE ଓ ଜୁରୀ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ କହିଛନ୍ତି, ସ୍ଥାୟୀ ସୁସ୍ଥ ପରିବେଶ ଗଠନ ଦିଗରେ ଆମର ପ୍ରତିଶ୍ରୁତିବଦ୍ଧତାକୁ IFGE ସ୍ୱୀକୃତି ପ୍ରଦାନ କରିଛି। ଏହି ସମ୍ମାନ ଆମକୁ ଏ କ୍ଷେତ୍ରରେ ଆହୁରି ଅଧିକ ପ୍ରେରଣା ଯୋଗାଇବ ବୋଲି ଡ.ସାମନ୍ତ କହିଛନ୍ତି। ଏହି ସମ୍ମାନକୁ ଡ.ସାମନ୍ତ ସବୁଜ ପରିବେଶ ଗଠନ ଦିଗରେ ସହଯୋଗ କରିଆସିଥିବା କିଟ୍ ଓ କିସ୍ର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକ ଓ କର୍ମଚାରୀଙ୍କୁ ଉତ୍ସର୍ଗ କରିଛନ୍ତି।