୫୦ଲକ୍ଷ ଟଙ୍କା ଠକି ନେଇଗଲେ ଆଶା ଦିଦି, ଏବେ ଥାନାର ଦ୍ୱାରସ୍ଥ ଗ୍ରାମର ଅନେକ ମହିଳା

ନବରଙ୍ଗପୁର: ମହିଳାମାନଙ୍କ ନାଁରେ ଠକେଇ ।  ହେଲେ ଠକେଇ  କରିଛନ୍ତି ଜଣେ ଆଶାକର୍ମୀ । ବିଭିନ୍ନ ଘରୋଇ ଅର୍ଥ ଲଗାଣ ସଂସ୍ଥା ଠାରୁ ୫୦ ଲକ୍ଷ ଟଙ୍କା ଠକେଇ କରିଛନ୍ତି ଜଣେ ଆଶାକର୍ମୀ । ଏଭଳି ଅଭିଯୋଗ ନେଇ ଆଜି ନବରଙ୍ଗପୁର ଏସପିଙ୍କ ଦ୍ୱାରସ୍ଥ ହେଇଛନ୍ତି ଶତାଧିକ ମହିଳା । ଠକାମୀର ଶିକାର ହୋଇଥିବା ଏହି ମହିଳାମାନେ ହେଉଛନ୍ତି, ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ବାଣୁଆଗୁଡା ଗ୍ରାମର । ତେବେ ଠକିଥିବା ଆଶାକର୍ମୀଙ୍କ ପରିବାର ଏବେ ଗାଁରୁ ଫେରାର ହୋଇଯାଇଥିବାବେଳେ, କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ନବରଙ୍ଗପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ ।

ଋଣ ପରିଶୋଧ ନୋଟିସ୍ ଆସିବା ପରେ ମହିଳାଙ୍କ ମଧ୍ୟରେ ଛନକା ପଶିଛି । ଋଣ ଜାଲରେ ଛନ୍ଦି ହୋଇପଡିଛନ୍ତି ପାପଡ଼ାହାଣ୍ଡି ବ୍ଳକ୍ ସିରସି ପଞ୍ଚାୟତର ବାଣୁଆଗୁଡ଼ା ଗାଁ ର ଶତାଧିକ ମହିଳା । ତେବେ ଏଇ ଅଭିଯୋଗ ନେଇ ଗାଁର ମହିଳା ମାନେ ପ୍ରଥମେ ପାପଡାହାଣ୍ଡି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ହୋଇଥିବା ନେଇ ଜାଣିବା ପରେ ଏବେ ଆଶା କର୍ମୀଙ୍କ ପରିବାର ଗାଁରୁ ଫେରାର ହେଇଯାଇଛନ୍ତି । ଅନ୍ୟ ଉପାୟ ନପାଇ ଆଜି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ସୂଚନା ଅନୁଯାୟୀ, ବାଣୁଆଗୁଡ଼ା ଗାଁର ଆଶାକର୍ମୀ ସୁବାସିନୀ ମହାପାତ୍ରଙ୍କ ସ୍ୱାମୀ ଓ ପୁଅ  ସେହି ଗ୍ରାମର ୧୦୦ରୁ ଅଧିକ ମହିଳାଙ୍କୁ ୪ଟି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ଏବଂ ଏକ ବ୍ୟାଙ୍କରେ ଋଣ ନେବାକୁ ପରାମର୍ଶ ଦେଇଥିଲେ ।  ଋଣ ମିଳିବା ପରେ ସବୁ ଟଙ୍କା ତାଙ୍କୁ ଦେଲେ ସେ ନିଜେ ପରିଶୋଧ କରିବେ ଏବଂ ମହିଳାଙ୍କୁ କିଛି ସୁଧ ଟଙ୍କା ଦେବେ ବୋଲି ମହିଳା ମାନଙ୍କୁ ପ୍ରଲୋଭିତ କରିଥିଲେ । ଏହାପରେ ମହିଳାମାନଙ୍କୁ ନିଜ ଘରକୁ ଡାକି ନେଇ ସେଠାରେ ସମସ୍ତଙ୍କ ଟିପ ଚିହ୍ନ ନେବା ସହ ବିଭିନ୍ନ ପ୍ରମାଣ ପତ୍ର ନେଇ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା  ଏବଂ  ବ୍ୟାଙ୍କରୁ ଋଣ କରିଥିଲେ ।

ଜଣେ ଜଣେ ମହିଳାଙ୍କ ନାଁରେ ୩୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ହୋଇଥିଲା । ତେବେ ସମସ୍ତ ଋଣ ଟଙ୍କା ସୁବାସିନୀ ଓ ତାଙ୍କ ପୁଅ ନିରାକାର ନେଇଯାଇଥିଲେ । ଋଣ ନେବାର ୬ମାସ ପର୍ଯ୍ୟନ୍ତ କୌଣସି ମାସିକ କିସ୍ତି ବାନ୍ଧି ନଥିଲେ ।  ଏପଟେ ବ୍ୟାଙ୍କରୁ ୧୦ଜଣ ମହିଳାଙ୍କୁ ଋଣ ପରିଶୋଧ କରିବା ପାଇଁ ନୋଟିସ୍ ଆସିଥିଲା । ହାପରେ ଏବେ ମହିଳାମାନେ ଋଣ କିପରି ପରିଶୋଧ କରିବେ ବୋଲି ଚିନ୍ତାରେ ପଡ଼ିଛନ୍ତି ।

ଯାହାକୁ ନେଇ ବାଣୁଆଗୁଡ଼ା ଗ୍ରାମର ଚନ୍ଦ୍ରମା ଭତରା ପାପଡ଼ାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଥିରେ ଆଶା ସୁବାସିନୀ, ତାଙ୍କ ପୁଅ ନିରାକାର ଓ ସ୍ୱାମୀ ଶରତ ମହାପାତ୍ର ସମ୍ପୃକ୍ତ ରହିଥିବା ଏତଲାରେ ଉଲ୍ଲେଖ ହୋଇଛି । ଉକ୍ତ ଗ୍ରାମର ଡମେଇ ଭତରା, ଗୋରୀ ଭତରା, ଦେବକୀ ଭତରା, ମଙ୍ଗଳଦେଇ ଭତରା, କମଳା ଭତରା, କୁମାରୀ ଭତରା, ମନିମୁକତା ଭତରା, ଡମେଇ ଲହରା, ମାଳତୀ ଲହରା, ମଣିମା ଲୋହାର ନାଁରେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି । ଏବେ ଏହି ମହିଳା ମାନେ କହିଛନ୍ତି ସେମାନେ କୁଲି କାମ କରି ଚଳୁଥିବା ବେଳେ ସେମାନଙ୍କ ସରଳତାର ସୁଯୋଗ ନେଇ ବଡ ଧରଣର ଠକାମିର ଶିକାର ହୋଇଛନ୍ତି । ଏବେ ସେମାନଙ୍କ ନାମରେ ଥିବା ଋଣ କିପରି ପୈଠ କରିବେ ସେ ନେଇ ଚିନ୍ତାରେ ରହିଥିବା ବେଳେ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଧରି ସେମାନଙ୍କ ଠାରୁ ଅର୍ଥ ଆଦାୟ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ଏପଟେ ଆଜି ଏନେଇ ଏକ ଅଭିଯୋଗ ପତ୍ର ଏସପିଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଏସପି ବଟ କୃଷ୍ଣ ମିଶ୍ରଙ୍କୁ ପ୍ରଦାନ କରାଯାଇଛି । ଅତିରିକ୍ତ ଏସପି ଶ୍ରୀ ମିଶ୍ର ତୁରନ୍ତ ତଦନ୍ତ କରିବା ପାଇଁ ପାପଡାହାଣ୍ଡି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ୍ କହିଛି ।