ଗଣେଶ ପୂଜା ଭୋଗ ଖାଇ ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଝାଡା ବାନ୍ତିରେ ଗୁରୁତର

ବାଙ୍ଗିରିପୋଷି : ଗଣେଶ ପୂଜା ପାଇଁ ସବୁଠି ଚଳଚଞ୍ଚଳ ପରିବେଶ । ଆଉ ସମସ୍ତେ ବେଶ୍‌ ଧୁମ୍‌ ଧାମରେ ପୂଜା କରୁଛନ୍ତି । କିନ୍ତୁ ଏହି ଉତ୍ସବମୁଖର ପରିବେଶ ମଧ୍ୟରେ ଘଟିଛି ବଡ଼ ଅଘଟଣ । ପିଲା ଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏବେ ମେଡିକାଲରେ । କାହା ଦେହରେ ସାଲାଇନ୍‌ ଲାଗିଛି ତ କିଏ ବାନ୍ତି କରି ବେଡରେ ପଡ଼ିଛି । ସେମାନଙ୍କର ଏପରି ଅବସ୍ଥା ଦେଖି ହେଉନି କି ସହି ହେଉନି । ହଠାତ୍‌ ଏତେ ଲୋକ କାହିଁକି ଏପରି ଅସୁସ୍ଥ ହୋଇପଡ଼ିଲେ ତାହା ମଧ୍ୟ ବୁଝା ପଡ଼ୁନି । ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

ତେବେ ବାଙ୍ଗିରିପୋଷି ବ୍ଲକ ଭୂଆସୁଣୀ ପଞ୍ଚାୟତ ରାୟାଁ ଗାଁ ସ୍କୁଲରେ ଗଣେଶ ପୂଜା ହୋଇଥିଲା । ପୂଜାରେ ଚୁଡ଼ା ଭୋଗ କରାଯାଇଥିଲା । ପୂଜା ପରେ ସେହି ଚୁଡ଼ା ଭୋଗକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଖାଇଥିଲେ । ଆଉ ଗଣେଶ ପୂଜା ସରିବା ପରେ ସମସ୍ତେ ଘରକୁ ଫେରିଥିଲେ । ହେଲେ ରାତିରେ ଜଣେ ଜଣେ ଝାଡ଼ା ବାନ୍ତି କରିଥିଲେ । ଗତକାଲି ୫୦ରୁ ଅଧିକ ଅଭିଭାବକ ଓ ଛାତ୍ରଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଦୁଇ ଦିନରେ ତିନିଟି ଗ୍ରାମର ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଝାଡା ବାନ୍ତିରେ ଗୁରୁତର ହୋଇଛନ୍ତି।

ପୂଜାରେ ଗଣେଶଙ୍କ ଠାରେ ଲାଗି ହୋଇଥିବା ଚୁଡା ଭୋଗ ଶନିବାର ସଂଧ୍ୟା ସମୟରେ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟା ହୋଇଥିଲା । ରବିବାର ପ୍ରଥମେ ରାୟାଁ,କ୍ରିପାଡିମା, କଳାପଥର ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଅସୁସ୍ଥ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ରବିବାର ରାତି ଓ ସୋମବାର ଦିନ ଅଧିକ ଲୋକ ଆକ୍ରାନ୍ତ ହେବାରୁ ତିନିଟି ଗ୍ରାମର ପାଖାପାଖି ୨୦୦ ଲୋକ ଏବେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସେଥି ମଧ୍ୟରୁ ୧୮ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ରହିଛନ୍ତି । ଏହି ଘଟଣା ପରେ ଗାଁକୁ ଡାକ୍ତରୀ ତଦନ୍ତ ଦଳ ପହଞ୍ଚି ଭୋଗର ନମୂନା ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛନ୍ତି । ହସ୍ପିଟାଲ୍ ପରିସରରେ ଏମଏଲଏ ସଞ୍ଜଳି ମୁର୍ମୁ, ବାରିପଦା ଉପଜିଲ୍ଲାପାଳ,ଏଡିଏମଓ, ବ୍ଲକ ଶିକ୍ଷା ଅଧିକାରୀ, ବିଡ଼ିଓ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like