ଗୋଟିଏ ରାତିରେ ୪ଜଣଙ୍କ ଘରୁ ୨୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟ୍
ନୟାଗଡ: ନୟାଗଡ ସଦରଥାନା ଅନ୍ତର୍ଗତ ଗୋଳଗୋଳା ଗାଁରେ ସିରିଜ୍ ଚୋରି । ୪ଜଣଙ୍କ ଘରୁ ୨୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ସହ ନଗଦ ଟଙ୍କା ଲୁଟ୍ ହୋଇଛି। ବିଳମ୍ବିତ ରାତିରେ ଝରକା ଏବଂ କବାଟ ତାଡି ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ଗାଁର ସନ୍ତୋଷ ପାଣିଙ୍କ ଘରୁ ଚୋରମାନେ ପାଖାପାଖି ୧୫ ଲକ୍ଷ ଟଙ୍କାର ସୁନା ଗହଣା ସହ ୪୫ହଜାର ନଗଦ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି । ଚୋରମାନେ ତାଙ୍କର ଘର ବାଡିପଟୁ କବାଟ ତାଡି ଘରେ ପଶିଥିଲେ ।
ସନ୍ତୋଷ ଏବଂ ତାଙ୍କ ସ୍ତ୍ରୀ ଘରେ ନଥିବାବେଳେ ମା ଏବଂ ଭଉଣୀଙ୍କୁ କବାଟ ଦେଇ ଦୁର୍ବୃତ୍ତମାନେ ଚୋରି କରିଛନ୍ତି । ଚୋରମାନେ ସବୁ ଲୁଟିନେଇଥିଲେ ମଧ୍ଯ କେହି ଏହି ସୁରାକ ପାଇନଥିଲେ । ସେହିପରି ଗାଁର ଚନ୍ଦ୍ରମଣି ଦାସଙ୍କ ଘରୁ ଚୋର ପାଖାପାଖି ୬ଲକ୍ଷ ଟଙ୍କାର ସୁନାଗହଣା ସହ ୧୫ହଜାର ଟଙ୍କା ଲୁଟି ନେଇଛନ୍ତି । ବାଡିପଟ ଝରକା ଗ୍ରିଲ୍ ତାଡି ଚୋର ଘରେ ପଶି ଲୁଟ୍ କରିଛନ୍ତି ।
ଚନ୍ଦ୍ରମଣିଙ୍କ ପୁଅ ବୋହୁ ଶ୍ବଶୁର ଘରକୁ ଯାଇଥିବା ବେଳେ ଚୋରମାନେ ପୁଅ ରୁମ୍ ରେ ପଶି ଚୋରି କରିଛନ୍ତି । ଚନ୍ଦ୍ରମଣି ଏବଂ ତାଙ୍କ ସ୍ତ୍ରୀ ଘରେ ଥିଲେ ମଧ୍ଯ ଚୋରି ସମ୍ପର୍କରେ ଜାଣି ପାରିନଥିଲେ । ସେହିପରି ଗାଁର ସୁଦାମ ଦାସଙ୍କ ଘରୁ ୨୦ହଜାରଟଙ୍କା ସହ କିଛି ରୁପା ଗହଣା ଚୋରି ହୋଇଛି ।
ଗାଁର ଏକ ରାସନ ଦୋକାନରୁ ମଧ୍ଯ ଚୋରମାନେ ଲକ୍ଷାଧିକ ଟଙ୍କାର ଜିନିଷ ଏବଂ ଟଙ୍କା ଲୁଟିନେଇଛନ୍ତି । ଚୋରମାନେ ଲୋକ ନଥିବା ଘରକୁ ଟାର୍ଗେଟ୍ କରି ଚୋରି କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପଚରାଉଚରା କରିଥିଲେ ମଧ୍ଯ ତଦନ୍ତ ଆରମ୍ଭ କରିନି , ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।