କାଲି ଭୋଟ୍‌ ଦେବ ପଦ୍ମପୁର: ବୁଥରେ ପହଞ୍ଚିଲେଣି ପୋଲିଂ ପାର୍ଟି

କେନ୍ୟୁଜ୍(ବ୍ୟୁରୋ): ସରିଛି ପ୍ରଚାର ଲଢ଼େଇ । କାଲି ଭୋଟ୍‌ ଦେବ ପଦ୍ମପୁର । ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ବୁଥରେ ପହଞ୍ଚିଲେଣି ପୋଲିଂ ପାର୍ଟି । କଡ଼ା ସୁରକ୍ଷା ଭିତରେ ରହିଛି ଇଭିଏମ୍‌ । ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ । ମୋଟ୍‌ ୩୧୯ଟି ବୁଥରେ ଭୋଟ୍‌ ଗ୍ରହଣ ବ୍ୟବସ୍ଥା କରାଯାଇଛି । ଏଥିରୁ ୭୯ଟି ବୁଥ୍‌ ସମ୍ବେଦନଶୀଳ । ଭୋଟ୍‌ ପାଇଁ ୧୨୭୬ ଜଣ ପୋଲିଂ ଅଧିକାରୀ ନିୟୋଜିତ ହେବେ । ୧୨୮ ଜଣ ରିଜର୍ଭ ପୋଲିସ ଅଧିକାରୀ ଅଛନ୍ତି । ପଦ୍ମପୁରର ମୋଟ ୨ ଲକ୍ଷ ୬୯ ହଜାର ୩୨୬ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ପୁରୁଷ ଭୋଟରଙ୍କ ସଂଖ୍ୟା ଏକ ଲକ୍ଷ ୩୦ ହଜାର ୩୧୧ । ମହିଳା ଭୋଟର ଏକ ଲକ୍ଷ ୨୮ ହଜାର ୯୮୧ ଜଣ । ୧୫ଟି ବୁଥ୍‌କୁ ଆଦର୍ଶ ବୁଥ ଭାବେ ଘୋଷଣା କରାଯାଇଛି ।

ମୁକ୍ତ, ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ଉପନିର୍ବାଚନ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୀମା ସିଲ ସହ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଚେକିଂ କରାଯାଉଛି । ଗାଁଠୁ ସହର ୪୫ଟି ପାଟ୍ରୋଲିଂ ଟିମ୍‌ ବ୍ୟବସ୍ଥା କରାଯାଇଛି । ବାହାର ଲୋକଙ୍କ ଉପରେ ନଜର ରଖିବା ପାଇଁ ଛତିଶଗଡ଼ ସୀମାବର୍ତ୍ତୀ ଅଞ୍ଚଳରେ ୧୦ ସମେତ ୨୨ଟି ଚେକ୍‌ ପୋଷ୍ଟ କରାଯାଇଛି । ୪୧ ପ୍ଲାଟୁନ ପୋଲିସ ଓ ୩ କଂପାନୀ କେନ୍ଦ୍ରୀୟ ବଳ ନିୟୋଜିତ ହୋଇଛନ୍ତି । ୮ ତାରିଖରେ ଭୋଟ୍‌ ଗଣତି ପରେ ଜଣାପଡ଼ିବ ପଦ୍ମପୁର କାହାର ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.